
ଭୁବନେଶ୍ବର: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି । ସସ୍ମିତ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସସ୍ମିତ ଇସ୍ତଫା ଦେଇଥିବାବେଳେ କାରଣ ଅସ୍ପଷ୍ଟ ରହିଛି । ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଂତୃପ୍ତ ମିଶ୍ର ହୋଇପାରନ୍ତି ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା । ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୬ ଜଣ ସାଂସଦ ଥିବାବେଳେ ୨୯ ଜୁଲାଇ ୨୦୨୨ରେ ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଥିଲେ ସସ୍ମିତ ।
ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁକିଛି ଠିକ ଚାଲିନାହିଁ ବୋଲି ଅଭିଯୋଗ ହୋଇଆସୁଛି । ବିଜେଡିରେ ଅସନ୍ତୋଷ ନେଇ ଦଳର ନେତା, ଦଳ ଛାଡୁଥିବା ନେତା, ବିରୋଧୀ ଦଳର ନେତା ଓ ରାଜନୈତିକ ସମୀକ୍ଷକ ଅନେକ ଥର ମୁହଁ ଖୋଲିଛନ୍ତି । ଅତୀତରେ ବିଜେଡିରେ ଘଟିଥିବା ବିଭିନ୍ନ ଘଟଣା ଅଭିଯୋଗକୁ ମଧ୍ୟ ପ୍ରମାଣିତ କରିଛି । ଆଉ ବର୍ତ୍ତମାନ ବିଜେଡିରେ ଅନ୍ତଃକନ୍ଦଳ ଚରମ ସୀମାରେ ପହଁଚିଥିବା ଅଭିଯୋଗ ହେଉଛି । ଏହାର ପରିଣାମ ସ୍ୱରୂପ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଗତ ସପ୍ତାହରେ ସସ୍ମିତ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡିଛି । ତେବେ ସସ୍ମିତଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ । ଅଘୋଷିତ ଚାପ କିମ୍ବା ବ୍ୟକ୍ତିଗତ କାରଣରୁ ସସ୍ମିତ ଇସ୍ତଫା ଦେଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।
ବିଜେଡିର ରାଜନୈତିକ ଇତିହାସରେ ସସ୍ମିତ ହେଉଛନ୍ତି ପ୍ରଥମ ନେତା, ଯାହାଙ୍କୁ ଦଳ ଲଗାତାର ଦ୍ଵିତୀୟ ଥର ଲାଗି ରାଜ୍ୟସଭା ପଠାଇଛି । ସେହିପରି ସସ୍ମିତଙ୍କୁ ୨୯ ଜୁଲାଇ ୨୦୨୨ରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦେଇଥିଲା ଦଳ । ଏହା ସହ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ସସ୍ମିତ ନିଯୁକ୍ତ ହୋଇଥିଲେ । ତାରିଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗତ ସପ୍ତାହରେ ରାଜ୍ୟସଭାରେ ଦଳର ନେତା ପଦରୁ ସସ୍ମିତ ଇସ୍ତଫା ଦେଇଛନ୍ତି ।
ସଂସଦରେ ଥିବା କିଛି ସହଯୋଗୀ ସସ୍ମିତଙ୍କୁ ଏହି ପଦରୁ ହଟାଇବା ପାଇଁ ଦଳର ସଭାପତିଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଦଳ ପକ୍ଷରୁ ଏ ବାବଦରେ ରାଜ୍ୟସଭା ଅଧ୍ୟକ୍ଷ ବା ଉପରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି ନା ନାହିଁ ଜଣାପଡ଼ିନାହିଁ । କିନ୍ତୁ ସସ୍ମିତ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କୁ ଭେଟିଥିବା ଜଣାପଡିଛି । ଏନେଇ ସସ୍ମିତ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ତେବେ କେବେ ଓ କେଉଁ କାରଣ ପାଇଁ ସସ୍ମିତ ଭେଟିଛନ୍ତି, ତାହା ଜଣାପଡିନାହିଁ ।




