
ଭୁବନେଶ୍ୱର : ଦୀଘାରେ ଜଗନ୍ନାଥ ମନ୍ଦିର ଖୋଲି ଜଗନ୍ନାଥ ଧାମ ଲେଖିବାକୁ ନେଇ ବିବାଦ ତେଜିଛି । ଶ୍ରୀକ୍ଷେତ୍ର ବିରୋଧରେ ଏହା ବଡ଼ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ପଶ୍ଚିମବଙ୍ଗର ଟିଏମ୍ସି ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏଭଳି ସମୟରେ ଓଡ଼ିଶା ବିରୋଧରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ ଘୁରି ବୁଲୁଛି । କିଛି ନ୍ୟସ୍ତସ୍ୱାର୍ଥ ଲୋକ ପଶ୍ଚିମବଙ୍ଗରେ ‘ବଏକଟ୍ ପୁରୀ ଟୁରିଜିମ୍’ ନାଁରେ ଟ୍ରେଣ୍ଡ୍ ଆରମ୍ଭ କରିଛନ୍ତି ।
ବେଙ୍ଗଲ ୱାରିୟର ନାମକ କେହି ବ୍ୟକ୍ତି ଏକ୍ସରେ ଏଭଳି ବିଭ୍ରାନ୍ତକାରୀ ପୋଷ୍ଟ କରିଛନ୍ତି । ଏଥିରେ ଉଲ୍ଲେଖ ଅଛି, ବଙ୍ଗାଳୀ ଲୋକମାନେ ପୁରୀକୁ (ବର୍ଜନ) ବଏକଟ୍ କରନ୍ତୁ । ସେମାନଙ୍କ ପାଇଁ ଓଡ଼ିଶାର ପର୍ୟ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ହୋଇଛି । ବିଶେଷ କରି ପୁରୀ ଜଗନ୍ନାଥ ମନ୍ଦିରକୁ ଦେଖିବାକୁ ପଶ୍ଚିମବଙ୍ଗରୁ ତୀର୍ଥଯାତ୍ରୀ ଧାଇଁ ଆସୁଛନ୍ତି । ଓଡ଼ିଶାର ଜିଡିପିରେ ପଶ୍ଚିମବଙ୍ଗର ପର୍ୟ୍ୟଟକଙ୍କ ବଡ଼ ଯୋଗଦାନ ରହିଛି । ଏଣୁ ସେମାନେ ପୁରୀକୁ ବଏକଟ୍ କରନ୍ତୁ ବୋଲି ଏହି ପୋଷ୍ଟରେ କୁହାଯାଇଛି ।
ସେପଟେ ଏହି ପୋଷ୍ଟକୁ ନେଇ ଓଡ଼ିଆ ଲୋକ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି । ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ହେବାରେ କୌଣସି ଆପତ୍ତି ନାହିଁ । ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଅଛି । ଏହା ଜଗନ୍ନାଥ ସଂସ୍କୃତିକୁ ପ୍ରଚାରପ୍ରସାର କରୁଛି । କିନ୍ତୁ ଜଗନ୍ନାଥ ଧାମ ଲେଖାଯିବା ଗ୍ରହଣୀୟ ନୁହେଁ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଶ୍ରୀକ୍ଷେତ୍ର ପୁରୀର ଗୌରବ ହାନି ହେଲା ଭଳି ଅପଚେଷ୍ଟା କରାନଯାଉ ବୋଲି ସ୍ୱାତୀ ନାୟକ ନାମକ ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଲେଖିଛନ୍ତି ।








