ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

୧୦ ଲକ୍ଷ ଟଙ୍କାର ଜୀବନ ବୀମା, ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା, ମୋବାଇଲ ଫୋନ, ବାସଗୃହ ପ୍ରଦାନ

ଭୁବନେଶ୍ୱର: ଆଜି ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତା। ସେମାନଙ୍କୁ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା ହେଉଛି ଆମର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସଫେଇ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଏହି ଦୁଇ ଦିନିଆ କର୍ମଶାଳାର ବିଷୟବସ୍ତୁ ହେଉଛି ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)।
ଭୁବନେଶ୍ୱର ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେଗୁଡିକ ହେଲା ପରିମଳ କାର୍ଯ୍ୟରେ ନିୟୋଜିତ ଥିବା ପ୍ରମୁଖ ପରିମଳ କର୍ମଚାରୀ (ସ୍ୱରେଜ ଓ ସେଫ୍‌ଟିକ୍ ଟାଙ୍କି ସଫେଇ କର୍ମଚାରୀ) ଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା, କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ ଏବଂ ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ IEC Activity କରାଯିବ। ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ୭ଟି ରାଜ୍ୟ ଏବଂ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଧିକାରୀ ଓ ସଫେଇ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆମ ଜଗନ୍ନାଥ ସଂସ୍କୃତିରେ ସ୍ୱଚ୍ଛତା ବିଷୟରେ ମଧ୍ୟ ଦର୍ଶାଯାଇଛି। ରଥଯାତ୍ରା ସମୟରେ ଛେରାପହଁରା ଏହାର ଏକ ପ୍ରମୁଖ ଉଦାହରଣ। ଏଥିରେ ସଫେଇ କାର୍ଯ୍ୟର ମର୍ଯ୍ୟାଦା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେ କହିଥିଲେ ଓଡିଶାର ଗରିମା ଯୋଜନା ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟଦା ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ଗରିମା ଯୋଜନା ଜାତୀୟ ପରିମଳ ଲକ୍ଷ୍ୟକୁ ପୂରଣ କରିବା ସହିତ ଅନେକ ରାଜ୍ୟ ପାଇଁ ପ୍ରେରଣାଦାୟୀ ହୋଇଛି।
ସେ ପୁଣି କହିଥିଲେ ଯେ, ପରିମଳ କର୍ମଚାରୀ ମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରଦର୍ଶନ କ୍ଷେତ୍ରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନାମ ସର୍ବାଗ୍ରେ ରହିବ। ମୋଦୀଜୀ ଦେଶର ଆର୍ଥିକ ବିକାଶ ସହିତ ପରିମଳ ପରି ଏକ ନଜର ଅନ୍ଦାଜ ବିଷୟ ଉପରେ ମଧ୍ୟ ଗୁରୁତ୍ୱ ଦେଇ ୨୦୧୪ ଅଗଷ୍ଟ ୧୫ ତାରିଖରେ ସ୍ୱଚ୍ଛ ଭାରତ ଆନ୍ଦୋଳନ ଜରିଆରେ ଘରେ ଘରେ ଶୌଚାଳୟ ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ। ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଥିଲା ଯେତେଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ, ପ୍ରତ୍ୟେକ ସହରରେ ଓ ପ୍ରତ୍ୟେକ ଗାଁରେ ପରିମଳ ବ୍ୟବସ୍ଥା ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶର ସାମାଜିକ ଓ ଅର୍ଥନୀତି ଅଭିବୃଦ୍ଧି ଅସମ୍ଭବ।
ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଗରିମା ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟକରଣ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପତକାଳୀନ ପରିମଳ ସେବା ୟୁନିଟ ସ୍ଥାପନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି। ରାଜ୍ୟର ୧୧୫ଟି ସହରର ୧୦ ହଜାର ରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଆଜିର ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହି ମଞ୍ଚରୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରିମଳ କର୍ମୀମାନେ ପରସ୍ପର ମଧ୍ୟରେ ଭାବ ବିନିମୟ ଓ ଅନୁଭୂତିରୁ ବହୁତ କଥା ଶିଖି ପାରିବେ। ସମସ୍ତଙ୍କ ଅନୁଭବ ଓ ଶ୍ରେଷ୍ଠ ଚିନ୍ତାଧାରା ନେଇ ଆମେ ଆଗକୁ ବଢିବା ଓ ଏକ ସମାବେଶୀ ଓ ବିକଶିତ ଭାରତ ନିର୍ମାଣରେ ନିଜି ନିଜର ଯୋଗଦାନ ରଖିବା ବୋଲି ସେ କହିଥିଲେ।
ଏହି ଅବସରରେ କର୍ମଶାଳା ପରିସରରେ ଆୟୋଜିତ ପରିମଳ କାର୍ଯ୍ୟ ସମ୍ପର୍କିତ ଆଧୁନିକ ଉପକରଣ ଏବଂ ସୁରକ୍ଷା ଉପକରଣର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ପରିମଳ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ପ୍ରମୁଖ ପରିମଳ କର୍ମଚାରୀମାନେ ହେଉଛନ୍ତି ଆମ ସହରର ଓ ଗ୍ରାମର ଅଦୃଶ୍ୟ ନାୟକ । ସେମାନେ ବର୍ଷ ବର୍ଷ ଧରି ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ସେବା ଯୋଗାଇ ଆସୁଛନ୍ତି । ଅଧିକାଂଶ ସମୟରେ ସେମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତିରେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତେଣୁ ସେମାନଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଆଜିର ଏହି କର୍ମଶାଳା ମାଧ୍ୟମରେ ଆମେ ଦେଶର ବିଭିନ୍ନ ରାଜ୍ୟ, ସହର ଓ ସଂସ୍ଥା ଗୁଡିକୁ ଏକତ୍ରିତ କରିଛୁ, ଯାହାଦ୍ୱାରା ଆମେ ଆମର ଅନୁଭବକୁ ବାଣ୍ଟି ପାରିବା, ଶିଖିବା ଓ ସହଯୋଗ ମଧ୍ୟ କରିପାରିବା।
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ପରିମଳ କ୍ଷେତ୍ରରେ ଆଜି ଓଡିଶାର ଦେଶରେ ନାଁ ଅଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି, ତାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର। ସହରାଞ୍ଚଳ ସହିତ ଆମକୁ ଗ୍ରାମାଞ୍ଚଳର ପରିମଳ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରିବାକୁ ପଡିବ।
କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସଚିବ ଶ୍ରୀ ଅମିତ ଯାଦବ କହିଲେ ଯେ, ଓଡିଶା ସରକାର ପରିମଳ କର୍ମଚାରୀ ମାନଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧ ଅଛନ୍ତି। ପରିମଳ ବ୍ୟବସ୍ଥା ଆମ ସମସ୍ତଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେଉଛି ପରିମଳ କର୍ମଚାରୀଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା।
ଅର୍ବାନ ମ୍ୟାନଜମେଣ୍ଟ ସେଣ୍ଟର ପ୍ରତିଷ୍ଠାତା ନିର୍ଦ୍ଦେଶକ ମନ୍ୱିତା ବରାଡି କହିଥିଲେ ଯେ, ଓଡିଶା ସରକାରଙ୍କ ଗରିମା ଯୋଜନାକୁ ଆଜି ଦେଶର ଅନ୍ୟ ରାଜ୍ୟମାନେ ଅନୁସରଣ କରୁଛନ୍ତି। ଗରିମା, ପରିମଳ କର୍ମଚାରୀ ମାନଙ୍କର କେବଳ ଦକ୍ଷତା ବିକାଶ କରୁନାହିଁ ବରଂ ସେମାନଙ୍କୁ ସଶକ୍ତ ମଧ୍ୟ କରୁଛି।କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଅତିରିକ୍ତ ସଚିବ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading
    ମହାନଦୀ, ପୋଲାଭରମ ପରେ ଏବେ ବଂଶଧାରା; ଟ୍ରିବ୍ୟୁନାଲ୍‌ର ରାୟ ଓଡ଼ିଶା ପ୍ରତି ଉପହାସ: ଭକ୍ତ ଦାସ

    * ଓଡ଼ିଶାକୁ ଶସ୍ତା ପାଇଛି ବିଜେପି * କ୍ୟାଚ୍‌ମେଣ୍ଟ ଏରିଆର ଓଡ଼ିଶାରେ ତିନି ଚତୁର୍ଥାଂଶ; ଅଥଚ ଜଳ ବଣ୍ଟନ ୫୦-୫୦ ଭୁବନେଶ୍ବର,୦୪/୦୩/୨୦୨୬: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଖୁସି କରିବାକୁ ବଂଶଧାରା ଟ୍ରିବ୍ୟୁନାଲ୍ ରାୟ ଦିଆଯାଇଛି। ଓଡ଼ିଶାରେ ବଂଶଧାରାର ତିନି ଚତୁର୍ଥାଂଶ କ୍ୟାଚ୍‌ମେଣ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ