
ଭୁବନେଶ୍ୱର: ବଜ୍ରପାତରେ ଜଳିଗଲା ଲିଙ୍ଗରାଜ ମନ୍ଦିରର ପତାକା । ବୁଧବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ଘଡ଼ଘଡିରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମୁଖ୍ୟତଃ ମନ୍ଦିର ସୁରକ୍ଷା ବ୍ୟବସ୍ଥା ପାଇଁ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ଅଚଳ ହୋଇଯାଇଛି । ଏଥିସହ ଇନ୍ଭର୍ଟର ଓ ବିଦ୍ୟୁତ୍ ବଲ୍ବଗୁଡ଼ିକ ମଧ୍ୟ ଅକାମୀ ହୋଇଯାଇଛି ବୋଲି କର୍ମଚାରୀମାନେ କହିଛନ୍ତି । ସେହିପରି ବିଜୁଳି ପ୍ରତିରୋଧ ବ୍ୟବସ୍ଥା ମଧ୍ୟ କାମ ନକରିବାରୁ ଭୟଙ୍କର ଘଡ଼ଘଡ଼ିରେ ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ଭୟଭୀତ ହୋଇପଡ଼ିଥିଲେ ।
ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ସେଥିରୁ ମାତ୍ର ୧୨ଟି କ୍ୟାମେରା କାମ କରୁଥିଲା । ବୁଧବାର ବଜ୍ରପାତ ଯୋଗୁ ସବୁ କ୍ୟାମେରା ଅକାମୀ ହୋଇଯାଇଛି । ଏଣେ କାର୍ତ୍ତିକ ମାସ ହେତୁ ପ୍ରତ୍ୟେହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ବିଶେଷ କରି ସୋମବାର ସର୍ବାଧିକ ଭିଡ଼ ହେବ । ତେଣୁ ଶୀଘ୍ର ମରାମତି ନ ହେଲେ ଅନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ମନ୍ଦିରର ଇନ୍ଭର୍ଟର ସମେତ ସମସ୍ତ ବିଦ୍ୟୁତ୍ ବଲ୍ବ ଖରାପ ହୋଇଯାଇଥିବା ଇଲେକ୍ଟ୍ରିସିଆନ ହେମନ୍ତ ମହାପାତ୍ର କହିଛନ୍ତି । ସନ୍ଧ୍ୟା ପୂର୍ବରୁ କେତେକ ବଲ୍ବ ମରାମତି କରି ଠିକ୍ କରାଯାଇଛି । ଅବଶିଷ୍ଟ ଗୁରୁବାର ସୁଦ୍ଧା କାମ କରାଯିବ ବୋଲି ସେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାକାର ବଜ୍ରପାତ ପ୍ରତିରୋଧ ବ୍ୟବସ୍ଥା ନୂଆକରି କାମ ହୋଇଥିଲେ ସୁଦ୍ଧା ଆଦୌ ଉପଯୋଗୀ ହୋଇପାରୁନି ବୋଲି ସେବାୟତମାନେ କହିଛନ୍ତି ।








