
ଭୁବନେଶ୍ୱର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଓ ବାଲେଶ୍ୱରକୁ ବନ୍ୟା ଭୟ ବଢ଼ିଯାଇଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଫୁଲୁଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଦିନ ବନ୍ଦ ରହିବ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୩୦ ତାରିଖ ସୋମବାରଠୁ ୩ ଦିନ ଯାଏ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ଘୋଷଣା କରିଛନ୍ତି । ଏଚ୍ଏସ୍ସି ସପ୍ଲିମେଣ୍ଟାରୀ ପରୀକ୍ଷା ଯଥାରୀତି ଚାଲୁ ରହିବ ବୋଲି ସୂଚନା ରହିଛି।
ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡରେ ବିଗତ ଦିନରେ ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ସୁବର୍ଣରେଖା, ବୁଢାବଳଙ୍ଗା ଓ ଜଳକାରେ ଜଳସ୍ତର ବଢିଛି । ଏହି ତିନି ନଦୀରେ ବନ୍ୟା ସ୍ଥିତି ଅଛି । ବାକି କୌଣସି ନଦୀରେ ବିପଦ ନାହିଁ । ବୈତରଣୀ ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛି ଜଳ ସମ୍ପଦ ବିଭାଗ । ସୁବର୍ଣ୍ଣରେଖାରେ ବିପଦ ସଂକେତ ଠାରୁ ୧.୧୬ ମିଟର ଅଧିକ ଜଳ ପ୍ରଭାହିତ ହେଉଛି । ଏହା କ୍ରମାଗତ ଭାବେ ବଢ଼ୁଛି । ଆଜି ଦିନ ୧୨ସୁଦ୍ଧା ୧୧.୭ ମିଟର ହେବା ନେଇ ଆଶଙ୍କା ରହିଛି । ଧୀରେ ଧୀରେ ଏହା କମି ପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୁରଭଞ୍ଜ ଓ ଝାଡ଼ଖଣ୍ଡରେ ଦୁଇ ଦିନ ପାଇଁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ସେଠି ବର୍ଷା ହେଲେ ଉତ୍ତର ଓଡ଼ିଶାର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ ।
ଝାଡ଼ଖଣ୍ଡ କେତେ ଜଳ ଛାଡିବ, ତା ଉପରେ ସୁବର୍ଣ୍ଣରେଖାର ଜଳସ୍ତର ନିର୍ଭର କରିବ । ବୁଢ଼ାବଳଙ୍ଗରେ ବିପଦ ସଂକେତ ୮.୧୩ ମିଟର । ସକାଳ ୯ ସୁଦ୍ଧା ଏହା ୭.୨୦ ମିଟର ରହିଛି । କ୍ରମାଗତ ଭାବେ ଜଳସ୍ତର କମିବାରେ ଲାଗିଛି । ସେଠି ବର୍ଷା ନ ହେଲେ ସେଭଳି ବଡ଼ ବନ୍ୟାର ଆଶଙ୍କା ନାହିଁ । ଜଳକାରେ ୬.୫ ମିଟର ବିପଦ ସଂକେତ । ବର୍ତ୍ତମାନ ୬.୮୪ ମିଟର ଜଳ ପ୍ରଭାହିତ ହେଉଛି । ଧୀରେ ଧୀରେ ଜଳସ୍ତର କମୁଛି ।



