
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେଡି-କଂଗ୍ରେସ ରାଜନୈତିକ ବାହାଘର ପୋଷ୍ଟକୁ ନେଇ ଚର୍ଚ୍ଚା। କଂଗ୍ରେସ-ବିଜେଡି ମିଳିତ ପ୍ରାର୍ଥୀ ଦେବାକୁ ନେଇ ସୋସିଆଲ ମିଡିଆରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କରିଛନ୍ତି ଏମିତି ରୋଚକ କଟାକ୍ଷ ଭରା ପୋଷ୍ଟ। ଯେଉଁଥିରେ ଅନିଲ କଂଗ୍ରେସ-ବିଜେଡିର ହୋଲି ମାଟ୍ରିମୋନି ବା ବାହାଘରର ନିମନ୍ତ୍ରଣ କାର୍ଡକୁ ପୋଷ୍ଟ କରିଛନ୍ତି। ଆଉ ଇଂରାଜୀରେ ଯାହା ଲେଖିଛନ୍ତି ତାର ଓଡ଼ିଆ ଅନୁବାଦଟା ଠିକ୍ ଏମିତି। ଅପ୍ରତ୍ୟାଶିତ ଆଶା କରନ୍ତୁ। ଏହା ଚିନ୍ତାଧାରାର ଏକ ମେଣ୍ଟ ନୁହେଁ, ବରଂ ହତାଶାର ଏକ ମେଣ୍ଟ – ଯେଉଁଠାରେ କନ୍ଭିନିଏନ୍ସ ବା ସୁବିଧା ବିଶ୍ୱାସକୁ ହରାଏ।
କଂଗ୍ରେସକୁ ବିରୋଧ କରିବା ପାଇଁ ଗଠିତ ଦଳ ବିଜୁ ଜନତା ଦଳ, ଏବେ ଏହା ସହ ରୋଷେଇ ଘର ସେୟାର କଲାଣି। ଥରେ କଂଗ୍ରେସ ବିରୋଧୀ ଲହରରେ ରାଜନୀତି ଆରମ୍ଭ କରିବା ପରେ, ବିଜେଡି ସୁପ୍ରିମୋ, ନବୀନ ପଟ୍ଟନାୟକ, ଏବେ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ ପାଖରେ ବସିଛନ୍ତି, ଯିଏ ଦୀର୍ଘ ସମୟ ଧରି ନବୀନ ପଟ୍ଟନାୟକଙ୍କର ସବୁଠୁ କଠୋର ସମାଲୋଚକଙ୍କ ଭିତରୁ ଜଣେ ଥିଲେ।
ଏହା ରାଜନୀତିର ବିଡ଼ମ୍ବନା ବୋଲି ଉଲ୍ଲେଖ କରି ରାଜନୈତିକ ଅସ୍ପୃଶ୍ୟତାରୁ ପୁଣି ଏକାଠି ପାଖରେ ବସିବାର ପରବିର୍ତ୍ତନ- ସମ୍ପୂର୍ଣ୍ଣ କପଟପୂର୍ଣ୍ଣ ଏବଂ ସୁବିଧାବାଦରେ ଭରା ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅନିଲ। ସବୁଠୁ ବଡ଼ କଥା ହେଉଛି ପୂର୍ବରୁ କଂଗ୍ରେସ ମଧ୍ୟ ସମାନ ଆରୋପ ଆଣି ବିଜେପି-ବିଜେଡିର ବାହାଘର କରିଥିଲା ବେଳେ ସୋସିଆଲ ମିଡିଆରେ ଅନିଲଙ୍କ ଏ ପୋଷ୍ଟ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏନେଇ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।




