
ନୂଆଦିଲ୍ଲୀ: ସଂସଦରେ ଠେଲାପେଲାକୁ ନେଇ ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସଂସଦ ଭିତରକୁ ଯିବାବେଳେ ବିଜେପି ସାଂସଦମାନେ ମୋତେ ଅଟକାଇଥିଲେ । ବିଜେପି ସାଂସଦମାନେ ମୋତେ ଠେଲାପେଲା କରିଥିଲେ । ସଂସଦ ଭିତରକୁ ପ୍ରବେଶ କରିବା ଆମର ଅଧିକାର । ଠେଲାପେଲା କଲେ ଆମର କିଛି ହେବନି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ପ୍ରକାଶ ଯେ ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ । ମୁଁ ଛିଡ଼ା ହୋଇଥିଲି । ଆଉ ସମ୍ପୃକ୍ତ ସାଂସଦ ମୋ ଉପରେ ପଡ଼ିଗଲେ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ତେବେ ତଳେ ପଡ଼ିଯିବାରୁ ଶ୍ରୀ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।


