
ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ଅପରେସନ୍ ବ୍ଲୁ ଷ୍ଟାର୍ । ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ୧,୨,୩,୫ ନଂ ହଷ୍ଟେଲର ତାଲା ଭାଙ୍ଗି ଯାଞ୍ଚ କଲେ କର୍ତ୍ତୃପକ୍ଷ । ରୁମ୍ରୁ କଢା ହେଲା ଅଣଛାତ୍ରଙ୍କ ଜିନିଷପତ୍ର । ସ୍ଥିତି ନିୟନ୍ତ୍ରଣ କରିବାକୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଛାଡ଼ୁ ନାହାନ୍ତି ଅଣଛାତ୍ର । ସେମାନଙ୍କୁ ହଟାଇବାକୁ ପୁଲିସର ବଡ଼ ପ୍ରସ୍ତୁତି । ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ର ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ସୋମବାର କ୍ୟାମ୍ପସ ପରିସରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ହଷ୍ଟେଲ ନମ୍ୱର ୧,୨,୩ ଓ୫ ରୁ ଅଣଛାତ୍ରଙ୍କୁ କାଢିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ପହଞ୍ଚି ଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ତେଣୁ ଦଙ୍ଗା ଭଳି ଅପ୍ରିତିକର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଯାନ ଆସି ପହଞ୍ଚିଛି । ଘଟଣା ସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।
ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏଥିପାଇଁ ବିଭିନ୍ନ ବିଭାଗର ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥିତି ପରଖିବା ପାଇଁ ହଷ୍ଟେଲରେ କୁଳପତି ଓ ପିଜି କାଉନସିଲ ଚେୟାରମ୍ୟାନ ଆସି ପହଞ୍ଚିଛନ୍ତି । ସମସ୍ତ ବରିଷ୍ଠ ଅଧିକାରୀ ଏବଂ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ହଷ୍ଟେଲ ଯାଞ୍ଚ କରି ସମସ୍ତ ଅଣଛାତ୍ରଙ୍କୁ କଢାଯାଉଛି ।



