
ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଜଣେ ଚତୁର୍ଥ ବର୍ଷର ଛାତ୍ର ବିରୋଧରେ ଜଣେ ସହପାଠିନୀ ଯୌନ ନିର୍ୟାତନା ଅଭିଯୋଗ ଆଣିଛନ୍ତି । ସମ୍ପୃକ୍ତା ଛାତ୍ରୀଙ୍କ ପରିବାର ଲୋକେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମେକାନିକାଲ୍ ଇଂଜିନିୟରିଂ ବିଭାଗର ଚତୁର୍ଥ ବର୍ଷ ଛାତ୍ର ତଥା ଅଭିଯୁକ୍ତ ଆରିୟାନ କରକୁ ପୁଲିସ୍ ଗିରଫ କରିଥିବା ଥାନାଧିକାରୀ ସୌମ୍ୟକାନ୍ତ ବଳିଆର ସିଂ ସୂଚନା ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଛାତ୍ରୀଙ୍କ ସହ ଆରିୟାନଙ୍କ ବନ୍ଧୁତା ହୋଇଥିଲା । ଏହାର ସୁଯୋଗରେ ସେ ତାଙ୍କୁ ଯୌନ ନିର୍ୟାତନା ଦେବା ଆରମ୍ଭ କରିଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଫଟୋ ରଖି ବ୍ଲାକ୍ମେଲ୍ କରିଥିଲେ । କୌଣସି କାରଣକୁ କେନ୍ଦ୍ର କରି ଗତକାଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତ ଛାତ୍ର ଜଣକ ଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏ ନେଇ ପୀଡ଼ିତା ପ୍ରଥମେ ଭିସୁଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଭିସୁଟ କୁଳସଚିବ ପ୍ରଦୀପ ଡାଙ୍ଗଙ୍କୁ ପଚାରିବାରୁ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବିତ କରାଯାଇଛି । ଘଟଣାର ତଦନ୍ତ କରିବା ପାଇଁ ଇଣ୍ଟରନାଲ୍ କମ୍ପେ୍ଲନ୍ କମିଟି (ଆଇସିସି)କୁ ମାମଲା ହସ୍ତାନ୍ତର କରାଯାଇଛି । ଆଇସିସି ରିପୋର୍ଟ ପ୍ରଦାନ କରିବା ପରେ ବୋର୍ଡ ବୈଠକ ବସିବ ଏବଂ ଦୋଷୀ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।




