
ପାଟଣା : ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ। ଏହି ଘଟଣା ପରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି।
ଅଞ୍ଚଳର ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯାଇଥିଲେ କିନ୍ତୁ ସେଠାରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ପ୍ରମାଣ ମାଗିଥିଲେ। ଆଉ ପ୍ରମାଣ ପାଇଁ ଜିତୁ ସିଧାସଳଖ ଭଉଣୀଙ୍କ କଙ୍କାଳ ନେଇ ପହଞ୍ଚିଥିଲେ। ଏହି ଘଟଣା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା। ଯାହା ପରେ ମଙ୍ଗଳବାର ଜିତୁଙ୍କୁ ଜମା ଟଙ୍କା ଫେରାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ୧୯ ହଜାର ୪୦୨ ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପାଟଣା ବିଡିଓ। ଜିତୁଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
ସୂଚନା ଯୋଗ୍ୟ ଯେ , ୪ ଭାଇଭଉଣୀଙ୍କୁ ନେଇ ପାଟଣା ବ୍ଲକ୍ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା (୫୦)ଙ୍କ ପରିବାର । ବଡ଼ଭାଇ ରଇବୁ ମୁଣ୍ଡା ଓ ସାନ ଭାଇ ଶଙ୍କରା ମୁଣ୍ଡା ବିବାହିତ । ଜିତୁ ଓ ବଡ଼ ଭଉଣୀ କାଲରା ଅବିବାହିତ ଥିଲେ। ଦୁଇ ବର୍ଷ ପୂର୍ବରୁ ବଳଦ ବିକ୍ରି କରି ବଡ଼ ଭାଇ ରଇବୁ ଭଉଣୀ କାଲରାଙ୍କ ନାଁରେ ମଲ୍ଲୀପଶି ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍ରେ ୧୯,୩୦୦ ଟଙ୍କା ଜମା କରିଥିଲେ । ନୋମିନୀ ଭାବେ ବଡ଼ଭାଇଙ୍କ ନାଁ ରହିଛି । ଦେଢ଼ ବର୍ଷ ପୂର୍ବରୁ ରଇବୁଙ୍କ ମୃତ୍ୟୁ ଘଟିସାରିଛି । ଭଉଣୀ କାଲରା (୫୫)ଙ୍କ ମଧ୍ୟ ୨ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା । କାଲରାଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦଉଡି ଦଉଡି ନିରାଶ ହୋଇଥିଲେ । ବ୍ୟାଙ୍କ୍ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇକି ଆସ ବୋଲି କହିଥିଲେ । କିନ୍ତୁ କାଲରାଙ୍କ ପରିବାର କହିଲେ ଜିତୁ ଓ ଶଙ୍କରାଙ୍କ ଛଡା ଆଉ କେହି ନଥିବାରୁ ଜିତୁ ବ୍ୟାଙ୍କ୍କୁ ବାରମ୍ବାର ଯାଇଥିଲେ । ହେଲେ ବ୍ୟାଙ୍କ୍ ଅଧିକାରୀ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହି ଫେରାଇ ଦେଇଥିଲେ । ଶେଷରେ ଜିତୁ ମୁଣ୍ଡା ଶ୍ମଶାନରୁ ବଡ଼ଭଉଣୀର ଶବକୁ ଖୋଳି ଏକ ବସ୍ତାରେ ପୂରାଇ ୩ କିମି ଦୂର ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ୍କୁ ଯାଇଥିଲେ । ବ୍ୟାଙ୍କ୍ ସମ୍ମୁଖରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ । ବ୍ୟାଙ୍କ୍ କର୍ମଚାରୀ ସଙ୍ଗେ ସଙ୍ଗେ ଗେଟ୍ ବନ୍ଦ କରିଦେବାରୁ ସେ ବାରଣ୍ଡାରେ ବସି ରହିଥିଲେ । ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିଲେ ମଧ୍ୟ ତା କଥାକୁ କେହି ଶୁଣି ନଥିଲେ ।


