
ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ ରାଉଣ୍ଡ ସୁଦ୍ଧା ମମତା ନିଜର ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୦ ହଜାର ଭୋଟରେ ପଛରେ ଅଛନ୍ତି । ଆଉ ଦୁଇ ରାଉଣ୍ଡ ଗଣତି ବାକିଥିଲେବି ବିଶାଳ ଭୋଟ୍ ବ୍ୟବଧାନକୁ କାଟିବା ସହଜ ନୁହେଁ । ମମତାଙ୍କୁ ଚେକ୍ ଦେବା ପାଇଁ ଶୁଭେନ୍ଦୁ ନିଜର ପାରମ୍ପରିକ ଆସନ ନନ୍ଦୀଗ୍ରାମ ସହ ଭବାନୀପୁରରୁ ବି ଲଢ଼ିଥିଲେ । ଏହା ଏକ କଠିନ ନିର୍ବାଚନ ଥିଲା । କାହିଁକିନା ଭବାନୀପୁର ମୁସଲିମ ଅଧ୍ୟୁଷିତ ନିର୍ବାଚନମଣ୍ଡଳୀ । ତେବେ ହିନ୍ଦୁ ବହୁଳ ବୁଥ୍ରେ ଏକପାଖିଆ ଭାବେ ଭୋଟ୍ ନେବାରେ ଶୁଭେନ୍ଦୁ ସଫଳ ହେବାରୁ ମମତାଙ୍କୁ ନିଜ ଆସନରେ ହାରିବାକୁ ପଡ଼ିଛି ।


