ଭୁବନେଶ୍ବର, ୧୭/୦୮: ଆଜି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ ଟି ବିଭାଜନର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ ଟି ବିଭାଜନର କାର୍ଯ୍ୟକୁ ବିସ୍ତୃତ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଉନ୍ନତମାନକୁ ବଜାୟ ରଖି ସମସ୍ତ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ନିର୍ଦ୍ଦେଶ ଦେବାସହ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା କାଟ ହେବ ବୋଲି ତାଗିଦ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ବିଭାଗ ଦ୍ବାରା କାର୍ଯ୍ୟକାରୀ ସମସ୍ତ ଯୋଜନାର ସମୀକ୍ଷା ହୋଇଥିଲା। ପିଏମ୍ ଜିଏସୱାଇ-୪ରେ ରାଜ୍ୟ ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ସେ ବିଭାଗର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଯୋଜନାରେ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାରେ ସାଚୁରେସନ୍ ମୋଡ୍ରେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସେ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୫୨୧ଟି ପ୍ରକଳ୍ପରେ ନିର୍ମାଣ ହେବାକୁଥିବା ୫୦୦୦ କିମି ରାସ୍ତା, ସେତୁ ବନ୍ଧନ ଯୋଜନାରେ ୪୦୦ ସେତୁ ଓ ୨୫୩ଟି କୋଠାର ନିର୍ମାଣ ଅଗ୍ରଗତି ବିଷୟରେ ସବିଶେଷ ସମୀକ୍ଷା କରି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।
ଏହା ସହ ଆର୍ଥିକ ବର୍ଷ ୨୦୨୫-୨୬ ରେ ଅନ୍ୟ ଯୋଜନା ଗୁଡ଼ିକର ନିର୍ମାଣ ଲକ୍ଷ୍ୟ ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଦିଗଦର୍ଶନ ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟସରକାର ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ସେହି ଅନୁଯାୟୀ ବଜେଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରାମାଞ୍ଚଳର ଜନସାଧ।ରଣଙ୍କ ଜନଜୀବନକୁ ପ୍ରଭାବିତ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପାଞ୍ଚ ବର୍ଷ ମଧ୍ୟରେ ୩୦,୦୦୦ କିମି ରାସ୍ତା, ୫୦୦ ସେତୁର ନିର୍ମାଣ ଲକ୍ଷ୍ୟକୁ ଯେପରି ସଫଳତାର ସହ ହାସଲ କରିବ ତାହା ବିଭାଗର ସମସ୍ତଙ୍କ ଦାୟିତ୍ବ। ଏହା ରାଜ୍ୟର ବିକାଶକୁ ବହୁଗୁଣିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ନାଏକ ପ୍ରକାଶ କରିଥିଲେ ।
ପ୍ରତିଟି ପ୍ରକଳ୍ପ ନିର୍ମାଣରେ ଉତ୍ତରଦାୟିତ୍ବ ସ୍ଥିର କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବିଭାଜନ ଗୁଡ଼ିକପାଇଁ ମାସିକ ନିର୍ମାଣ ଲକ୍ଷ୍ୟ ସ୍ଥିରୀକୃତ କରାଯିବା ସହ ସେଗୁଡ଼ିକର ମନିଟରିଂ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଯେଉଁ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ବିଳମ୍ବିତ ଅବସ୍ଥାରେ ରହିଛି ସେ ଗୁଡ଼ିକର ସ୍ଥିତି ସମୀକ୍ଷା କରିବାପାଇଁ ଏକ କ୍ଷେତ୍ରୀୟ ଟିମ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରତିଟି ପ୍ରକଳ୍ପ ନିର୍ମାଣରେ ମାନ ବଜାୟ ରଖିବା ସହ ସ୍ଥିରୀକୃତ ସମୟରେ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଦାୟିତ୍ବରେ ଅବହେଳା ଯୋଗୁଁ ନିର୍ମାଣରେ ବିଳମ୍ବ ଓ ନିର୍ମାଣ ମାନରେ ଅସଂଗତି ରହିଲେ ଉତ୍ତରଦାୟିତ୍ବ ସ୍ଥିର କରି ଦରମାବନ୍ଦ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ ୬୦ ଟି ବିଭାଜନର ନିର୍ମାଣ କାର୍ଯ୍ୟ ଓ ଅନ୍ୟlନ୍ୟ ଆନୁଷଙ୍ଗିକ ଦିଗ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ l ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା ବୈଠକକୁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ବିଭିନ୍ନ ନିର୍ମାଣ କାର୍ଯ୍ୟ ବିଷୟରେ ତଥ୍ୟ ରଖିଥିଲେ l ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରସନ୍ନ କୁମାର ସାହୁ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ସେଠ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ l ବୈଠକରେ ବରିଷ୍ଠ ଅଧିକାରୀଗଣ ଶ୍ରୀ ସର୍ବେଶ୍ଵର ସିଂ, ଶ୍ରୀମତୀ ଗୀତାରାଣୀ ପଟ୍ଟନାୟକ, ଶ୍ରୀମତୀ ସଂଘମିତ୍ରା ଶତପଥୀ, ସମସ୍ତ ବରିଷ୍ଠ ଯନ୍ତ୍ରୀ, ୬୦ ଟି ବିଭାଜନର କ୍ଷେତ୍ରୀୟ ଅଧିକାରୀ ତଥା ଯନ୍ତ୍ରୀ ଯୋଗଦେଇ ମନ୍ତ୍ରୀଙ୍କଠାରୁ ଦିଗଦର୍ଶନ ପ୍ରାପ୍ତ ହୋଇଥିଲେ l
ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ
୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…



