
ପୁରୀ: ଶ୍ରୀମନ୍ଦିରର ଶୁଦ୍ଧ ସୁଆର ତଥା ଯୁବ ଦଇତାପତି ସେବାୟତ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ୟ୍ୟରେ ଲିପ୍ତଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଶ୍ରୀ ପାଢ଼ୀ ଯୁବ ଦଇତାପତି ସେବାୟତଙ୍କୁ ଅନ୍ୟାଦେଶ ପର୍ୟ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶରେ କଟକଣା ଲାଗୁ କରିବା ସହ ସେବାରୁ ନିଲମ୍ବନ କରିଛନ୍ତି । ଉକ୍ତ ସେବକଙ୍କ ଅନୈତିକ କାର୍ୟ୍ୟ ଯୋଗୁଁ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ୟ୍ୟାଦା କ୍ଷୁର୍ଣ୍ଣ ହୋଇଛି । ଶ୍ରୀମନ୍ଦିରର ପ୍ରାୟତଃ ସେବକଙ୍କ ଆଚାର ବ୍ୟବହାର ଠିକ ରହି ନୀତିକାନ୍ତି ସମ୍ପାଦନ ଶୃଙ୍ଖଳିତ ରହୁଥିବା ବେଳେ କିଛି ସେବକଙ୍କ ଅବାଞ୍ଚିତ କାର୍ୟ୍ୟକଳାପ ସମଗ୍ର ସେବକ ସମାଜକୁ ବଦନାମ କରୁଛି । କୌଣସି ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ ।
ଯୁବ ଦଇତାପତି ଶ୍ରଦ୍ଧାନନ୍ଦ ଦାସ ମହାପାତ୍ର ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିଲେ । ଏହି ମାମଲାରେ ସାଇବର ଥାନା ପୁଲିସ ଗତ ମାର୍ଚ୍ଚ ୩୧ରେ ତାଙ୍କୁ ଗିରଫ କରିଥିଲା । ଘଟଣାଟି ପୁରୀ ସମେତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ମାତ୍ର ନିଜକୁ ଅସୁସ୍ଥତା ଦେଖାଇ ସେ ଜେଲ୍ ପରିବର୍ତ୍ତେ ଚିକିତ୍ସାଳୟରେ ରହିଥିଲେ । ଏହାରି ମଧ୍ୟରେ ସମ୍ପୃକ୍ତ ଯୁବତୀଙ୍କ ସହ ପରିବାର ସଦସ୍ୟଙ୍କ ସଲାସୁତୁରା ହୋଇ ମାମଲାକୁ ରଫାଦଫା କରିଥିଲେ । ଯୁବତୀ କୋର୍ଟରେ ମାମଲା ସମାଧାନପତ୍ର ଦାଖଲ କରିବାରୁ ସମ୍ପୃକ୍ତ ଯୁବ ଦଇତାପତି ସେବାୟତ ଶ୍ରଦ୍ଧାନନ୍ଦଙ୍କୁ ଜାମିନ୍ ମିଳିଥିଲା । ମାମଲାକୁ ରଫାଦଫା କରିବାକୁ ଲକ୍ଷାଧିକ ଟଙ୍କା କାରବାର ହୋଇଥିବା ସହରରେ ଚର୍ଚ୍ଚା ଜୋର୍ ଧରିଥିଲା ।



