
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ୫ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଶକ୍ତି ବିଭାଗର ଗୋଟେ, ଶ୍ରମ ବିଭାଗର ୩, ପରିବହନ ବିଭାଗର ଗୋଟେ, ଜଳସମ୍ପଦ ବିଭାଗର ୫ ଓ ପଞ୍ଚାୟତିରାଜ ବିଭାଗର ଗୋଟେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ଜଳସମ୍ପଦ ବିଭାଗର ୫ ଟେଣ୍ଡରକୁ ଅନୁମୋଦନ ମିଳିଛି । ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣବେକ୍ଷଣ ନୀତି ୨୦୨୬ ସହ ଅଟଳ ବସଷ୍ଟାଣ୍ଡ ଯୋଜନାକୁ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନୀତି ୨୦୨୬କୁ ଅନୁମୋଦନ ମିଳିଛି । ଗ୍ରାମାଞ୍ଚଳରେ ନିରନ୍ତର ଓ ନିର୍ଭରଯୋଗ୍ୟ ପାନୀୟ ଜଳ ସେବା ପ୍ରଦାନ କରିବ । ଓଡ଼ିଶା ‘ଜଳ ଜୀବନ ମିଶନ’ ଓ ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ବାରା ଗ୍ରାମୀଣ ପରିବାରକୁ କାର୍ଯ୍ୟକ୍ଷମ ପାଇପ ଜଳ ସଂଯୋଗ ହୋଇଛି । ରାଜ୍ୟରେ ଏକକ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ, ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଏବଂ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଭଳି ବ୍ୟାପକ ଭିତ୍ତିଭୂମି ସୃଷ୍ଟି ହେଉଛି । ଭିତ୍ତିଭୂମି ନିର୍ମାଣ ସହ ଏହି ବ୍ୟବସ୍ଥାଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ, ଦକ୍ଷ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ରଖିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଅନୁମୋଦିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନୀତି ନିରବଚ୍ଛିନ୍ନ ଜଳ ଯୋଗାଣ, ପାନୀୟ ଜଳର ମାନ ନିର୍ଦ୍ଧାରଣ, ଭିତ୍ତିଭୂମିର ପ୍ରତିରୋଧାତ୍ମକ ରକ୍ଷଣାବେକ୍ଷଣ ଓ ସ୍ଵଚ୍ଛ ଆର୍ଥିକ ପରିଚାଳନା ପାଇଁ ବିସ୍ତୃତ ରୂପରେଖ ପ୍ରସ୍ତୁତ ହୋଇଛି ।
ନୀତିରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସଂସ୍ଥା, ଜିଲ୍ଲା କର୍ତ୍ତୃପକ୍ଷ, ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଦାୟିତ୍ଵ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ ହୋଇଛି । ଯାହା ଦ୍ୱାରା ବିକେନ୍ଦ୍ରୀକୃତ ଶାସନ ଏବଂ ଜନସାଧାରଣଙ୍କର ସାମୁଦାୟିକ ମାଲିକାନା ସୁଦୃଢ଼ ହେବ । ଏହି ନୀତିରେ ଗଠିତ ବ୍ୟବହାରକାରୀ ଶୁଳ୍କ ବ୍ୟବସ୍ଥା, ଗ୍ରାମ ସ୍ତରରେ ରକ୍ଷଣାବେକ୍ଷଣ ପାଇଁ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ନିୟମିତ ଭାବେ ଜଳର ଗୁଣମାନ ପରୀକ୍ଷଣ, SCADA ଓ LoT ଆଧାରିତ ପ୍ରଣାଳୀ ମାଧ୍ୟମରେ ଡିଜିଟାଲ ପର୍ଯ୍ୟାଲୋଚନା ସହିତ ରିଅଲ ଟାଇମ ନିୟନ୍ତ୍ରଣ ପାଇଁ ଏକ କେନ୍ଦ୍ରୀୟ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସ୍ଥାପନାର ବ୍ୟବସ୍ଥା ହେବ । ସେହିପରି ଜଳଯୋଗାଣ ଜାରି ରଖୁବା ପାଇଁ ପ୍ରତିଷେଧକ ରକ୍ଷଣାବେକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବ୍ୟବସ୍ଥା ଏଥିରେ ସାମିଲ ।
ଏହି ନୀତି ଗ୍ରାମୀଣ ପାନୀୟ ଜଳ ଭିତ୍ତିଭୂମିରେ ହୋଇଥିବା ସରକାରୀ ପୁଞ୍ଜି ବିନିଯୋଗକୁ ତ୍ୱରାନ୍ୱିତ କରିବ । ଏହି ନୀତି ଦ୍ଵାରା ମଧ୍ୟ ଓଡ଼ିଶାରେ ‘ହର ଘର ଜଳ’ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ନୀତି ପ୍ରଣୟନ ଦ୍ୱାରା ରାଜ୍ୟ କୋଷାଗାର ଉପରେ କୌଣସି ଅଧିକ ଆର୍ଥିକ ବୋଝ ପଡିବ ନାହିଁ । ଏହି ନିଷ୍ପତ୍ତି ସହିତ ଓଡ଼ିଶା ଗ୍ରାମୀଣ ଜଳ ଯୋଗାଣ ପରିଚାଳନା ପରବର୍ତ୍ତୀ ପର୍ଯ୍ୟାୟକୁ ଗତି କରୁଛି, ଯେଉଁଠାରେ ସ୍ଥାୟୀତ୍ଵ, ଉତ୍ତରଦାୟିତ୍ଵ ଏବଂ ସେବାର ଶ୍ରେଷ୍ଠତା ଉପରେ ଗୁରୁତ୍ଵ ଦିଆଯାଇଛି । ପ୍ରତ୍ୟେକ ଗ୍ରାମୀଣ ପରିବାର ନିକଟରେ କେବଳ ଟ୍ୟାପ ସଂଯୋଗ ନୁହେଁ, ବରଂ ସେମାନେ ପ୍ରତିଦିନ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ପାଇବେ ।



