ରାଜ୍ୟସଭା ଭୋଟ୍ : ୫ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ବିଧାୟକଙ୍କ ହାତରେ

ଭୁବନେଶ୍ୱର:୪ଟି ରାଜ୍ୟସଭା ଆସନର ୫ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ ଏବେ ଓଡ଼ିଶା ବିଧାୟକଙ୍କ ହାତରେ । ସୋମବାର ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହେବ ମତଦାନ । ୫ଟାରୁ ଗଣତି । ରାଜ୍ୟସଭା ନିର୍ବାଚନ କାହା ପାଇଁ କେମିତି ହୋଇପାରେ, ମାତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ । ବଡ଼ ଧରଣର କ୍ରସ ଭୋଟିଂ ହେଲେ ଦଳର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିବ । ବାଜି ଜିତିଲେ ନବୀନ ପୁଣି ସିକନ୍ଦର । ପ୍ରଥମ ଥର ଲାଗି କୌଣସି ନିର୍ବାଚନ ପାଇଁ ନବୀନ ଅତି ଗମ୍ଭୀର ଲାଗୁଛନ୍ତି । ସକାଳୁ ରାତି ଯାଏ ଘନଘନ ବୈଠକ, ରଣନୀତି, ପ୍ରତି ବିଧାୟକଙ୍କ ସହ କଥା ହେଉଛନ୍ତି । ତଥାପି କ୍ରସ ଭୋଟିଂ ଡର । ହ୍ୱିପ ସତ୍ତେ୍ୱ ନବୀନ ନିବାସ ବୈଠକକୁ ୩ ଦିନ ଧରି ନ ଆସିବାରୁ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କୁ ବିଜେଡି କାରଣ ଦର୍ଶାଅ ନୋଟିସ କରିଛି । ସେମାନେ ବିଜେଡି କ୍ୟାମ୍ପକୁ ଫେରିବା ଆଶା କମ୍। ହେଲେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ବୁଝାଇବାକୁ ବିଜେଡି ନେତୃତ୍ୱ ପ୍ରୟାସ ଜାରି ରଖିଛନ୍ତି । ଲଗାତାର ଅନୁପସ୍ଥିତି ସତ୍ତେ୍ୱ ସୌଭିକଙ୍କୁ ନୋଟିସ ପଠାଯାଇନି। ଏହାବାଦ୍ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ସମେତ ୪/୫ ଜଣ ବିଧାୟକ ବିଜେଡିର ସନ୍ଦେହ ସ୍କାନରରେ । ସେଥିରୁ ଅଧିକାଂଶ ଯୁବ ବିଧାୟକ । ରବିବାର ନବୀନନିବାସରେ ୪୫ ବିଧାୟକ ଲଞ୍ଚ, ଡିନର କରିବା ସହ ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଏବଂ ମକ୍ ପୋଲ୍ରେ ଭାଗ ନେଇଥିଲେ । ସୂତ୍ର ଅନୁସାରେ, ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ‘ଜଗନ୍ନାଥଙ୍କ ନାକଚଣା’ ଛୁଇଁ ବିଧାୟକମାନେ ଆଜି ଶପଥ ନେଇଥିଲେ । କିଛି ବରିଷ୍ଠଙ୍କୁ ଛାଡ଼ି ୪୦ ବିଧାୟକ ରାତିରେ ନବୀନ ନିବାସରେ ରହିଲେ । କାହାକୁ ପ୍ରଥମ ପସନ୍ଦ, କାହାକୁ ଦ୍ୱିତୀୟ ପସନ୍ଦ ପ୍ରାର୍ଥୀ ଭାବେ କିଏ ଭୋଟ ଦେବେ, ତାହା ସୋମବାର ସକାଳେ ବିଧାୟକଙ୍କୁ ବିଧାନସଭା ପରିସରରେ ଜଣାଇ ଦିଆଯିବ । ଅନ୍ୟପଟେ ନିଲମ୍ବିତ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ବିଜେଡି ହ୍ୱିପ୍ ମାନିବାକୁ ଚିଠି କରିଛି ।
କଂଗ୍ରେସର ଛାତି ବି ଧଡ଼ଧଡ଼ । ସପ୍ତାହେ ହେବ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଦଳୀୟ ନେତୃତ୍ୱଙ୍କଠାରୁ ଅପହଞ୍ଚ । କଂଗ୍ରେସର ଆଶଙ୍କାକେବଳ ଦାଶରଥୀ କ୍ରସ ଭୋଟ କରିବେ ନା ଆଉ କିଏ? ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ସାନଖେମୁଣ୍ଡିର ରମେଶ ଜେନା କିମ୍ବା ଅନ୍ୟ କେହି ଝଟ୍କା ଦେବେ କି? ପିସିସି ସଭାପତି ଭକ୍ତ ଦାସ ନାଲି ଆଖି ଦେଖାଇ ସଭ୍ୟପଦ ନିୟମ ପଢ଼ାଇଛନ୍ତି । ହେଲେ ବିଧାୟକମାନେ ମାନିବେ ତ? ବାଙ୍ଗାଲୋର ଯାଇଥିବା ୮ଜଣ କଂଗ୍ରେସ ବିଧାୟକ ଆଜି ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି । କଂଗ୍ରେସ ବିଧାୟକମାନେ ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିଥିବା ସୂଚନା ମିଳିଛି । ଦଳ ଦାଶରଥୀଙ୍କୁ କାରଣ ଦର୍ଶଆ ନୋଟିସ କରିଥିବାବେଳେ ସେ ମଧ୍ୟ ତା’ର ଜବାବରେ ଚିଠି ପଠାଇଛନ୍ତି । ବିଜେଡି ସହ ମେଣ୍ଟକୁ ସେ ନାପସନ୍ଦ କରିବା ସହ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବେ ବୋଲି ଦାଶରଥୀ ଚିଠିରେ ଦର୍ଶାଇଛନ୍ତି ।
ବିଜେପି ଦୁଇଟି ଆସନ ନିଶ୍ଚିତ ଜିତିବ । ୩ଟି ଜିତିଲେ ଡବଲ୍ ଇଞ୍ଜିନ ସରକାରଙ୍କ ପାଇଁ ବଲ୍ଲେ ବଲ୍ଲେ । ରାଜ୍ୟରେ ବିଜେପିର ବଳ ଆହୁରି ବଢ଼ିବ । କେନ୍ଦ୍ରୀୟ ନେତୃତ୍ୱଙ୍କଠାରୁ ବଡ଼ ସାବାସି ମିଳିବ । ଦଳକୁ କ୍ରସ ଭୋଟିଂ ଡର ନାହିଁ । ତଥାପି ସମସ୍ତଙ୍କୁ ଏକାଠି ରଖିବାକୁ ବିଜେପିର ସମସ୍ତ ବିଧାୟକ ପାରାଦୀପର ତାରକା ହୋଟେଲରେ ଡେରା ପକାଇଛନ୍ତି । ଆଜି ବିଧାୟକମାନଙ୍କ ପାଇଁ ହୋଟେଲ ପରିସରରେ ମକ୍ ପୋଲ୍ କରାଯାଇଥିଲା । ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସେଠାରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି କିଛି ସମୟ ପାଇଁ ବିଧାୟକଙ୍କୁ ଭେଟିବାକୁ ଯାଇଥିବା ଜଣାପଡ଼ିଛି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ