
ଭୁବନେଶ୍ୱର: ରାଜ୍ୟସଭା ରେସ ନେଇ ବଢ଼ୁଛି ସସ୍ପେନ୍ସ । ରାଜ୍ୟସଭା ଭୋଟକୁ ବେଶ୍ ଗୁରୁତର ସହ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ହ୍ୱିପ୍ ଜାରି କରାଯିବା ପରେ ନବୀନ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରିଛନ୍ତି । ନବୀନ ନିବାସରେ ପ୍ରସନ୍ନ ଆଚାର୍ୟ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅରୁଣ କୁମାର ସାହୁ, ବଦ୍ରି ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ନବୀନ ପ୍ରାୟ ୪୫ ମିନିଟ ଧରି ଆଲୋଚନା କରିଥିଲେ । ବୈଠକରେ ନିଷ୍ପତ୍ତି ହେଲା- ଶୁକ୍ରବାର ଓ ଶନିବାର ବିଧାୟକମାନଙ୍କୁ ବିଜେଡିର ବରିଷ୍ଠ ନେତା ଓ କିଛି ସମ୍ବିଧାନ ବିଶେଷଜ୍ଞ ତାଲିମ ଦେବେ । ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ୟ୍ୟନ୍ତ ନବୀନ ନିବାସରେ ବିଧାୟକମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ଭୋଟ ପସନ୍ଦ ଓ ଦ୍ୱିତୀୟ ପସନ୍ଦ ଭୋଟ କେମିତି ଦିଆଯିବ ଓ କିଏ କାହାକୁ ଦେବେ, ସେ ବାବଦରେ ବିସ୍ତୃତ ସୂଚନା ଦିଆଯିବ । ଗୋଟିଏ ବି ଭୋଟ ଯେମିତି ନାକଚ ନ ହେବ, ସେଥିପ୍ରତି ଦଳ ବେଶ୍ ଗୁରୁତ୍ୱ ଦେଉଛି । କେଉଁ ବିଧାୟକ କେଉଁ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଓ କେଉଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ପସନ୍ଦ ଭାବେ ଭୋଟ କରିବେ, ତାହା ଆଜି ସେମାନଙ୍କୁ ଅବଗତ କରାଯିବ ।ସେହିପରି ନବୀନ ପଟ୍ଟନାୟକ ଅଜି ସମସ୍ତ ବିଧାୟକଙ୍କୁ ଚିଠି ଲେଖିଛନ୍ତି । ଦଳୀୟ ହ୍ୱିପ୍ ମାନିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ୧୫ ତାରିଖ ସନ୍ଧ୍ୟାରେ ଦଳୀୟ ବିଧାୟକଙ୍କ ବୈଠକରେ ଯୋଗ ଦେବାକୁ ସୂଚନା ଦେଇଛନ୍ତି ।
ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ମିଶିଥିବାବେଳେ ଏବେ ସଭିଙ୍କ ନଜର ବିଜେଡିର ବସ୍ତା ବିଧାୟକ ତଥା ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀଙ୍କ ଉପରେ । ସୁବାସିନୀଙ୍କ ଭୋଟ କୁଆଡ଼େ ଯିବ, ତାହା ଆଲୋଚନାର ବିଷୟ ହୋଇଛି । ଏଭଳି ସ୍ଥିତିରେ ବିଧାନସଭାରୁ ପ୍ରମିଳା ନିଜ କାରରେ ବସାଇ ସୁବାସିନୀଙ୍କୁ ନବୀନ ନିବାସ ଆଣିଥିଲେ । ସେ ମାତ୍ର ୫ ମିନିଟ ପାଇଁ ନବୀନ ନିବାସ ଭିତରକୁ ଯାଇଥିଲେ ।ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନବୀନ ତାଙ୍କୁ କହିଥିଲେ । ଉତ୍ତରରେ ସୁବାସିନୀ ତାଙ୍କୁ କହିଥିଲେ, ପାର୍ଟିର ଲୋକ, ପାର୍ଟିକୁ ହିଁ ଭୋଟ ଦେବି । ଏହାପରେ ସେ ନବୀନ ନିବାସରୁ ଫେରି ଆସିଥିଲେ । ଗଣମାଧ୍ୟମକୁ ସୁବାସିନୀ କହିଥିଲେ, ମୁଁ ଦଳର ଶୃଙ୍ଖଳିତ କର୍ମୀ । ଦଳ ସହ ସବୁବେଳେ ରହିଛି । ମୋ ନେତା ଯାହା ନିର୍ଦ୍ଦେଶ ଦେବେ, ସେଇ ଅନୁସାରେ କାମ କରିବି । ସୁବାସିନୀଙ୍କ ଏଭଳି ବୟାନ ପରେ ବି ତାଙ୍କ ଭୋଟକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।




