ଶିଳ୍ପପତିମାନଙ୍କୁ ସହଯୋଗ ପାଇଁ ଆମେ ସବୁ ସମୟରେ ଉପସ୍ଥିତ ଅଛୁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କନ୍ଭେନସନ ସେଣ୍ଟର ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତି। ସୂଚନାଯୋଗ୍ୟ ଯେ ୨୭ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସୁନିଶ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି।
ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଓଡ଼ିଶାକୁ କିଛି ନିବେଶ ଆସୁଛି, ସେତେବେଳେ ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ନୀତି ଓ ନିଷ୍ଠା ପ୍ରତି ନିବେଶକ ମାନଙ୍କ ଆସ୍ଥା ବୃଦ୍ଧି ପାଉଛି । ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍‌ଚରିଂ ହବ୍ କରିବା ପାଇଁ ଆମେ ବିଭିନ୍ନ ହାଇ ଭାଲ୍ୟୁ ପ୍ରଡକ୍ଟ ଉତ୍ପାଦନ ଦିଗରେ ନିବେଶକ ମାନଙ୍କୁ ଆକୃଷ୍ଟ କରୁଛୁ । ମାନୁଫାକ୍‌ଚରିଂ ଭାଲ୍ୟୁ ଚେନ୍‌ରେ ଆହୁରି ଉପରକୁ ଉଠି ସାରା ବିଶ୍ୱର ବଜାରରେ କମ୍ପିଟ୍‌ କରି ପାରୁଥିବା ଭଳି ପ୍ରଡକ୍ଟ ନିର୍ମାଣ କରୁଛୁ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମ ସରକାର ମାତ୍ର ୧୫ ମାସ ହେବ ଓଡିଶାର ଶାସନ ଦାୟିତ୍ୱ ନେଇଛନ୍ତି । ଏହି ଅଳ୍ପ ସମୟ ମଧ୍ୟରେ ଆମ ସରକାର ୨୬୦ ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ସମୟ ମଧ୍ୟରେ ଆମେ ୮୪ ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ । ଏହା ଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇପାରିଛି, ଏବଂ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି ।

ଶିଳ୍ପପତି ମାନଙ୍କୁ ଭରଷା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଯୁକ୍ତ ନୀତି ସହିତ ପ୍ରତ୍ୟେକ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସରକାରୀ ବ୍ୟବସ୍ଥାରେ ବ୍ୟୁରୋକ୍ରାଟିକ୍ ପ୍ରତିବନ୍ଧକକୁ ହଟାଯାଇଛି । ଶିଳ୍ପ ପ୍ରତିଷ୍ଠାର ଯାତ୍ରାରେ, ଶିଳ୍ପପତି ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ, ଆମେ ସବୁ ସମୟରେ ଉପସ୍ଥିତ ଅଛୁ । ଯେକୌଣସି ଅସୁବିଧାରେ ଶିଳ୍ପପତି ମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ଆମ ସରକାର ପ୍ରସ୍ତୁତ ଅଛନ୍ତି ।
ଏକ୍ ପେଡ ମା କି ନାମ୍ ୨.୦ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ସମସ୍ତ ଉଦ୍ୟୋଗୀ ତଥା ଶିଳ୍ପାନୁଷ୍ଠାନ ଗୁଡିକ ନିଜ ନିଜ ଅଂଚଳରେ ଯେତେ ଅଧିକ ସମ୍ଭବ ଚାରା ରୋପଣ କରନ୍ତୁ । ବିକାଶ ଓ ପରିବେଶ ପରସ୍ପରର ପରିପୁରକ ହୋଇ କାର୍ଯ୍ୟ କରିବା ଉଚିତ। ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସ ପାଳନ ହେବ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାକୁ ସମ୍ମାନ ଜଣାଇ, ତାଙ୍କ ପ୍ରତି ଏକ ଉପହାର ସ୍ୱରୂପ, ଓଡ଼ିଶାବାସୀ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗେଇବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହି ଅଭିଯାନରେ ଶିଳ୍ପସଂସ୍ଥା ମାନଙ୍କୁ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଶିଳ୍ପପତି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡା, କୋରାପୁଟ ଓ ଅନୁଗୋଳ ଠାରେ ଆଭାସୀ ମାଧ୍ୟମରେ ସେ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁଥିବା ଶିଳ୍ପପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ସୁଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଏବଂ ଶିଳ୍ପ ଅନୁକୂଳ ପରିବେଶ ହିଁ ଆଜି ଓଡିଶାକୁ ଶିଳ୍ପ ସମୃଦ୍ଧ ଭାବେ ଏକ ପ୍ରମୁଖ ସମ୍ଭାବନାର ରାଜ୍ୟ ଭାବେ ଗଢିତୋଳିବା ପାଇଁ ସକ୍ଷମ ହୋଇଛି। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଭରଷା ଓ ବିଶ୍ୱାସ ଆଜି ଆମ ରାଜ୍ୟର ସାମଗ୍ରିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିରେ ଉପାଦେୟ ସାବ୍ୟସ୍ତ ହୋଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ଯାହାର ଇଚ୍ଛା ଓ ଦୃଢ ମନୋବଳ ଅଛି ସେ ଦିନେ ନା ଦିନେ ସଫଳ ହେବ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ସର୍ବଦା ରହିଆସିଛି ଯେ କିଭଳି ଗ୍ରାଉଣ୍ଡ ଜିରୋରୁ ସଫଳତା ମିଳିବ। ଏହି ଭରଷାରେ ରାଜ୍ୟ ସରକାର ଆଜି ଶିଳ୍ପକ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏବଂ ପ୍ରମୁଖ ଶିଳ୍ପପତି ମାନେ ମଞ୍ଚାସୀନ ଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଦକ୍ଷତା ବିକାଶ ବିଭାଗର କମିଶନର ତଥା ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ ଧନ୍ୟବାଦ ଦେଇଥିଲେ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ