
ଓଡ଼ିଶା ପ୍ରେମରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସମ୍ୱଲପୁରୀ ଶାଢୀରେ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କ ମନ ମୋହିଛନ୍ତି । ଏଥିସହ ସେ ଏକ ନୋଟ୍ ଲେଖି ଓଡ଼ିଶା ପରମ୍ପରାର ପ୍ରଶଂସା କରିଛନ୍ତି ।ମାଧୁରୀ ଦୀକ୍ଷିତ ଏକ୍ସରେ ନିଜ ଲୁକର ଫଟୋସୁଟ କରିଛନ୍ତି । ସେ ସେୟାର କରିଥିବା ଫଟୋରେ ଲାଲ ଓ ବ୍ଲୁ ରଙ୍ଗର ସମ୍ୱଲପୁରୀ ଶାଢୀରେ ନଜର ଆସିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଲୁକ ଫଟୋ ସେୟାର କରି ସେ ଲେଖିଛନ୍ତି, ”ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା – କାଳଜୟୀ, ଜଟିଳ, ଆତ୍ମାରେ ପରିପୂର୍ଣ୍ଣ । କେବଳ କପଡ଼ା ନୁହେଁ, ବରଂ ପ୍ରେମ ଏବଂ ଧୈର୍ଯ୍ୟରେ ବୁଣାଯାଇଥିବା କାହାଣୀ । ଏହି ସୁନ୍ଦର ଐତିହ୍ୟକୁ ପ୍ରତିନିଧିତ୍ୱ କରିବା ନେଇ ସମ୍ମାନିତ ମନେ କରୁଛି ।” ଏହି ଲୁକ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି ଏବଂ କମେଣ୍ଟ ବର୍ଷା କରୁଛନ୍ତି ।
ପ୍ରକାଶ ଥାଉ କି, ବଲିଉଡ ଡିଭା ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର । ଫଳରେ ବୁଣାକାରମାନଙ୍କ ହାତ ତିଆରି କାରିଗରୀକୁ ନେଇ ବିଦେଶରେ ପ୍ରଚାର କରିବେ ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ । ଗତବର୍ଷ ଅଗଷ୍ଟ 7ରେ ଓଡ଼ିସା ହସ୍ତତନ୍ତ ଦିବସ ଅବସରରେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଥିଲେ, ”ଅଭିନୟ ଓ ନୃତ୍ୟ ପ୍ରତିଭାରେ ମାଧୁରୀ ଯେଭଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଓ ଭାରତ ସମେତ ବିଶ୍ୱରେ ନିଜର ସ୍ୱତନ୍ତ୍ର ଚାପ ଛାଡିଛନ୍ତି, ଓଡ଼ିଶାର ହସ୍ତତନ୍ତକୁ ସେମିତି ନେଇ ବିଶ୍ୱରେ ପହଂଚାଇବେ ଓ ଓଡିଶାକୁ ଏକ ମଜଭୁତ ଫ୍ୟାସନ ରାଜ୍ୟ ଭାବେ ଗଢି ତୋଳିବେ ।” ମାଧୁରୀ ଦୀକ୍ଷିତଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, 2024ରେ ରିଲିଜ ଫିଲ୍ମ ‘ଭୁଲ ଭୁଲେୟା 3’ ରେ ସେ ନଜର ଆସିଥିଲେ । ଯେଉଁଥିରେ ସେ ବିଦ୍ୟା ବାଲାନଙ୍କ ସହ ଭୂତ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ 2025ରେ ରିଲିଜ ଓଟିଟି ଫିଲ୍ମ ‘ମିସେସ ଦେଶପାଣ୍ଡେ’ ରେ ନଜର ଆସିଥିଲେ । ଯାହାଙ୍କ ଭୂମିକାକୁ ବେଶ ପ୍ରଶଂସା କରିଥିଲେ ଲୋକେ ।




