ସରକାରଙ୍କ ଚେଷ୍ଟା ଯଥେଷ୍ଟ ନୁହଁ, ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଜନ ଭାଗୀଦାରି ଆବଶ୍ୟକ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୦୩/୨୦୨୬: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛି ଏବଂ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ 2.0 ର ଶହେ ଦିନିଆ କ୍ୟାମ୍ପେନ୍‌ର ଶୁଭାରମ୍ଭ ମଧ୍ୟ ହୋଇଛି । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ସ୍ତରରେ ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଯକ୍ଷ୍ମା ମୁକ୍ତ ଭାରତ: ଶହେ ଦିନିଆ ଅଭିଯାନ- 2.0 ର ଶୁଭାରମ୍ଭ କରିଛନ୍ତି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକସେବା ଭବନ ଠାରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର’ର ସ୍ୱୀକୃତି ପ୍ରିୟଦର୍ଶିନୀ ବେହେରାଙ୍କୁ ଫୁଡ୍ ବାସ୍କେଟ୍ ପ୍ରଦାନ କରି ରାଜ୍ୟସ୍ତରୀୟ କ୍ୟାମ୍ପେନର ଶୁଭାରମ୍ଭ କରିଥିଲେ । ଭାରତ ସରକାରଙ୍କ ପକ୍ଷରୁ ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି, ଆଗାମୀ ଶହେ ଦିନକୁ ଦୃଷ୍ଟିରେ ରଖି ଏଥିପାଇଁ ବେଷ୍ଟ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି । ଆମେ କେବଳ ସ୍ଲୋଗାନ୍‌ରେ ସୀମିତ ରଖିନାହୁଁ, ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛୁ ବୋଲି ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ କହିଥିଲେ।
ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଜନସାଧାରଣମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ସରକାରଙ୍କ ଚେଷ୍ଟା ଯଥେଷ୍ଟ ନୁହଁ, ଏଥିପାଇଁ ଜନ ଭାଗୀଦାରି ଆବଶ୍ୟକ । ଏହାଦ୍ୱାରା ଯକ୍ଷ୍ମାମୁକ୍ତ ଅଭିଯାନ ଶତ ପ୍ରତିଶତ ସଫଳତା ହାସଲ କରିବ ଏବଂ ଓଡ଼ିଶା ଓ ଦେଶରୁ ଯକ୍ଷ୍ମା ରୋଗ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ହେବ । ରାଜ୍ୟର ସମସ୍ତ ଲୋକପ୍ରତିନିଧିଙ୍କୁ ନିଜ ନିଜ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଏହି ରୋଗ ସମ୍ପର୍କରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ସିଭିଲ୍ ସୋସାଇଟି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଏହି ଅଭିଯାନରେ ସାମିଲ ହେବା ପାଇଁ କହିଥିଲେ ।
କାହିଁକି ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଇଥିଲା ଏବଂ ଦେଶର ପ୍ରାୟ ୩୨ ହଜାର ହସ୍‌ପିଟାଲରେ ଚିକିତ୍ସିତ ହେବାର ଅଧିକାରକୁ କାହିଁକି ଛଡ଼ାଇ ନିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପୂର୍ବ ସରକାରଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆମ ସରକାର ପ୍ରାଥମିକତା ଦେଇ ଆସିଛି । ୨୦୨୬-୨୭ ବର୍ଷ ପାଇଁ ଆମର ସ୍ୱାସ୍ଥ୍ୟ ବଜେଟ ୨୩ ହଜାର ୧୮୨ କୋଟି ଟଙ୍କା ରଖାଯାଇଛି, ଯାହାକି ସମ୍ପୂର୍ଣ୍ଣ ବଜେଟ ଅଟକଳର ୭.୫ ପ୍ରତିଶତ ଏବଂ ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP)ର ୨.୧ ପ୍ରତିଶତ । ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ୍ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ନିରାମୟ, ନିଦାନ ଆଦି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ରୋଗ ନିରୂପଣ ସେବା ମାଗଣାରେ ଯୋଗାଇ ଦିଆଯାଉଛି । ଓଡ଼ିଶାର ପ୍ରତ୍ୟେକ ନାଗରିକ ଯେପରି ବିନା ଚିନ୍ତାରେ, ବିନା ଆର୍ଥିକ ବୋଝରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇପାରିବ, ସେଥିପାଇଁ ଆମର ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯକ୍ଷ୍ମା ରୋଗ ବିରୋଧରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ ପଦକ୍ଷେପ ବିଷୟରେ ଆଲୋକପାତ କରିବା ସହିତ ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳ ମାନଙ୍କରେ ଏହି ରୋଗ ବିରୁଦ୍ଧରେ ଅଭିଯାନକୁ ବିଶେଷ ରୂପେ ଧ୍ୟାନ ରଖାଯିବ ବୋଲି କହିଥିଲେ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତି ଏସ୍. ସ୍ୱାଗତ ଭାଷଣ ଦେଇଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଯୋଡ଼ି ହୋଇ ଏହି ଦିବସକୁ ପାଳନ କରିଥିଲେ ।

  • Related Posts

    78ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ବିଏମସିର ଜୋରଦାର ପ୍ରସ୍ତୁତି

    13 ଜଣଙ୍କୁ ରାଜଧାନୀ ଗୌରବ ଏବଂ 3 ଜଣ ବୟୋଜ୍ୟେଷ୍ଠଙ୍କୁ କରାଯିବ ସମ୍ବର୍ଦ୍ଧିତ ଭୁବନେଶ୍ୱର:78ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

    Continue reading
    ଆଜିଠୁ ନୂଆ ସୁଭଦ୍ରା ଆବେଦନ

    ଭୁବନେଶ୍ୱର:ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ ବୟସ ୨୦୨୬ ଏପ୍ରିଲ ୧ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ