
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ବା APAR ଦାଖଲ ପାଇଁ ଆସିଲା କଡ଼ା ନିର୍ଦ୍ଦେଶ। ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି। କର୍ମଚାରୀଙ୍କୁ ମେ ୩୧ ତାରିଖ ସୁଦ୍ଧା ନିଜର ସେଲ୍ଫ ଆପ୍ରେଜାଲ ତଥା ‘ସ୍ବ-କାର୍ଯ୍ୟଦକ୍ଷତା ରିପୋର୍ଟ’ ଦାଖଲ କରିବାକୁ ପଡ଼ିବ।
ନିୟମ ଅନୁସାରେ, ବିଭାଗୀୟ କର୍ମଚାରୀ ପ୍ରଥମେ ନିଜେ ରିପୋର୍ଟ ଦାଖଲ କରିବେ। ଏହାପରେ ଜୁଲାଇ ୩୧ ସୁଦ୍ଧା ରିପୋର୍ଟିଂ ଅଥରିଟି ଏହା ଉପରେ ନିଜର ମତ ରଖିବେ। ସେପ୍ଟେମ୍ବର ୩୦ ସୁଦ୍ଧା ସମୀକ୍ଷକ ତଥା ରିଭ୍ୟୁଇଂ ଅଥରିଟି ଏବଂ ଡିସେମ୍ବର ୩୧ ସୁଦ୍ଧା ଚୂଡ଼ାନ୍ତ ଅଧିକାରୀ ବା ଆକ୍ସେପ୍ଟିଂ ଅଥରିଟି ନିଜର ମତାମତ ଦେବେ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି ।
କର୍ମଚାରୀଙ୍କ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ସମୟ ସୀମା ଭିତରେ ସମସ୍ତଙ୍କୁ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।



