
ସମ୍ବଲପୁର: ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ କାର୍ୟ୍ୟକ୍ରମ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବା ପରେ ହେଲିକପ୍ଟର ଯୋଗେ ବୁର୍ଲାରେ ପହଞ୍ଚି ଏମ୍ସିଏଲ୍ ଅତିଥିଶାଳାରେ ରାତ୍ରିଯାପନ କରିବେ। ୨୨ ତାରିଖ ସକାଳ ସାଢ଼େ ୮ଟାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ କରିବା ପରେ ଦିନ ୧୦ଟାରେ ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ଜନସଭାରେ ଯୋଗ ଦେବେ। ଏହି ଅବସରରେ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ସମ୍ବଲପୁର କାର୍ୟ୍ୟକ୍ରମ ସାରି ଝାରସୁଗୁଡ଼ା ଦେଇ ଭୁବନେଶ୍ବର ପହଞ୍ଚିବା ପରେ ପୁରୀରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ପୁରୀ, ଜଟଣୀ, ଭୁବନେଶ୍ବର ଆଦି କେତେକ ଜାଗାରେ ଅମିତ ଶାହଙ୍କ କାର୍ୟ୍ୟକ୍ରମ ରହିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।




