
ଭୁବନେଶ୍ୱର : ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି । କିଛି ଜାଗାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ପୂର୍ବାନୁମାନ ହେଲା, ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ ଅବସ୍ଥାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଅଛି । ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇ ଝାଡ଼ଖଣ୍ଡ ଆଡ଼କୁ ପଳାଇବ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ହେଲା, ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ।୨୦ ତାରିଖ (ଶୁକ୍ରବାର) ଠାରୁ ବର୍ଷା ପ୍ରକୋପ ସାମାନ୍ୟ କମିବ । ତଥାପି ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ । ୨୧ ତାରିଖ (ଶନିବାର) ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ୨୨ ତାରିଖ (ରବିବାର) ଅଳ୍ପ କିଛି ସ୍ଥାନରେ ବର୍ଷା ସହ ମୟୂରଭଞ୍ଜ, କେନ୍ଦୁଝରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୨୩ ତାରିଖ (ସୋମବାର) କାଁ ଭାଁ ବର୍ଷା ହେବ । ବଡ଼ ବର୍ଷା ନାହିଁ । ୨୪ ତାରିଖ (ମଙ୍ଗଳବାର) ଅଳ୍ପ କିଛି ସ୍ଥାନରେ ବର୍ଷା ଏବଂ ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।








