ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ୱର : ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହୋଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଏ ଗୃହର ଅନୁମୋଦିତ ହୋଇଛି ।ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପିତ ଓ ପାରିତ ହୋଇଥିଲା ।ଗତ ଆଠ ମାସରେ ସରକାର ବଜେଟରେ ଥିବା ପ୍ରାବଧାନ ଅନୁଯାୟୀ ବିଭିନ୍ନ କାର୍ୟ୍ୟକ୍ରମକୁ କାର୍ୟ୍ୟାନ୍ୱୟନ କରୁଛନ୍ତି ।ବଜେଟର ଚାରିଗୋଟି ମୁଖ୍ୟ ଉପାଦାନ ଉପରେ ପର୍ୟ୍ୟବେଶିତ । ଜୀବନ ଜୀବିକାର ଉନ୍ନତି, ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ ଏବଂ ଓଡିଶା ଅସ୍ମିତା ପାଇଁ କାର୍ୟ୍ୟକରୁଛନ୍ତି । ମହିଳା, ଯୁବା ଏବଂ ଗରିବ’ ପାଇଁ ବିଭିନ୍ନ ଯୋଜନା ଏବଂ କାର୍ୟ୍ୟକ୍ରମ କରାଯାଇଛି । ଏହି ସବୁ କାର୍ୟ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଆବଶ୍ୟକ ପଡୁଥିବା ଅତିରିକ୍ତ ବ୍ୟୟ ପାଇଁ ଏହି ବିଲ ଉପସ୍ଥାପନ କରାଯାଇଛି।
୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଧ୍ୟରୁ କେବଳ କାର୍ୟ୍ୟକ୍ରମ ବ୍ୟୟ ବାବଦକୁ ୧୩ ହଜାର ୭୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ର ନିର୍ମାଣ ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଓଡିଶାର ଅବଦାନ। ଗତ ବଜେଟରେ ପୁଞ୍ଜି ଖର୍ଚ୍ଚ ବାବଦକୁ ୬୫ ହଜାର ୧୨ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ କରାଯାଇଥିଲା ।
ରାଜ୍ୟ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ ରାଜ୍ୟର ଋଣଭାର ରାଜ୍ୟ ସକଳ ଘରୋଇ ଉତ୍ପାଦ ର ୨୫ ପ୍ରତିଶତ ଏବଂ ସୁଧ ଦେୟ ଓ ମୋଟ ରାଜସ୍ୱର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ତେବେ ମହାଲେଖାକାର, ଓଡିଶାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବର, ୨୦୨୫ ରାଜ୍ୟର ରାଜସ୍ୱ ବଳକା (୧.୩ ପ୍ରତିଶତ) ସ୍ଥିତି ବଜାୟ ଥିବାବେଳେ, ଋଣ ଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ଅନୁପାତ ୧୧.୯ ପ୍ରତିଶତ ରହିଅଛି ଏବଂ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୨.୨ ପ୍ରତିଶତରେ ସୀମିତ ରହିଛି ।
ଏଥି ସହିତ ଅକ୍ଟୋବର, ୨୦୨୫ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣଭାର କେବଳ ୨୬ ହଜାର ୯ ଶହ ୭୮ ଟଙ୍କା ରହିଅଛି, ଯାହାକି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍ ଅଟେ ।
ଓଡିଶାର ନୂତନ ଜନକଲ୍ୟାଣମୂଳକ କାର୍ୟ୍ୟ ଯେପରିକି ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧ ଯୋଜନା, ମାଧୋ ସିଂ ଛାତ୍ରବୃତ୍ତି ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରିବା ସତ୍ତ୍ୱେ ରାଜ୍ୟର ଆର୍ଥିକ ପରିଚାଳନା ଅତ୍ୟନ୍ତ ଉଚ୍ଚକୋଟିର ବୋଲି ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି ।
ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୪ ହଜାର ୩୨୯ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨ ହଜାର କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧ ହଜାର ୧୫୯ କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧ ହଜାର ୬୭୩ କୋଟି ଟଙ୍କା, ମହିଳା ଓ ଶିଶୁ କଲ୍ୟାଣ ତଥା ମିଶନ ଶକ୍ତି ପାଇଁ ୧ ହଜାର ୫୫୭ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।
ଭାରତ ଏକମାତ୍ର ଦେଶ ଯେଉଁଠି ବିକାଶର ହାର ବିଶ୍ଵର ସବୁଠାରୁ ଅଧିକ। ଗତ ତ୍ରୈମାସିକ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଯାହା ପୃଥିବୀର ସବୁଠାରୁ ଅଧିକ। ଟ୍ରମ୍ଫ ଟାରିଫର ଅନିଶ୍ଚିତତା ସତ୍ତ୍ୱେ ଏହି ଅଭିବୃଦ୍ଧି ନିଶ୍ଚିତ ଭାବେ ଉଲ୍ଲେଖନୀୟ।
ରାଜ୍ୟର ୬୦ ପ୍ରତିଶତ ଲୋକେ କାର୍ୟ୍ୟ କରୁଥିବା କୃଷକମାନେ ଆମପାଇଁ କେବଳ ଚାଷୀ ନୁହନ୍ତି, ସେମାନେ ହେଉଛନ୍ତି ଆମପାଇଁ ‘ଅନ୍ନଦାତା’। ସମୃଦ୍ଧ ଓଡିଶା ଗଠନ ପାଇଁ ସମୃଦ୍ଧ କୃଷକ ହେଉଛନ୍ତି ଅପରିହାର୍ୟ୍ୟ। ତେଣୁ, ତାଙ୍କର ହାଡଭଙ୍ଗା ପରିଶ୍ରମରେ ଉପୁଯାଉଥିବା ଉତ୍ପାଦର ଉପଯୁକ୍ତ ମୂଲ୍ୟ ଦେବା ପାଇଁ ଗତବର୍ଷ ଠାରୁ ଆରମ୍ଭ ହୋଇଥବା ଇନ୍ପୁଟ ସହାୟତା ଜାରି ରହିଛି।
ତେଣୁ, ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ରିଭଲଭିଂ ପାଣ୍ଠି ବାବଦରେ ୨ ହଜାର କୋଟି ଟଙ୍କା ସହ ଅତିରିକ୍ତ ୩ ହଜାର କୋଟି ଟଙ୍କା ଏବଂ ପିଡିଏସ୍‌ ରିହାତି ବାବଦରେ ଅତିରିକ୍ତ ୧ ହଜାର ୩ ଶହ ୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହା ଦ୍ଵାରା କୃଷକ ମାନଙ୍କଠାରୁ ପ୍ରାୟ ୧୦ ନିୟୁତ ଟନ୍ ଧାନ କିଣାଯାଇପାରିବ ଓ ସେମାନଙ୍କୁ ସଠିକ ସମୟରେ ସେମାନଙ୍କ ପ୍ରାପ୍ୟ ଦିଆଯାଇପାରିବ।
ସୁଭଦ୍ରାରେ ଅଧିକ ହିତାଧିକାରୀ ଯୋଡି ହେବା ଫଳରେ ଅଧିକ ୨ ଶହ ୯୫ ହଜାର କୋଟି ଟଙ୍କାର ପ୍ରସ୍ତାବ ଦିଆ ଯାଇଛି। ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ଦିଆଯାଇଛି । ମହିଳାମାନଙ୍କୁ ଡିବିଟି ମାଧ୍ୟମରେ ମାତୃତ୍ୱ ସୁବିଧା ଯୋଗାଇ ଦେବା ପାଇଁ ମମତା ଯୋଜନା ଅଧୀନରେ ୧ ଶହ ୪୨ କୋଟି ଟଙ୍କା ପ୍ରସ୍ତାବ ରହିଛି ।
ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦାନ କରିବା ଆମ ଶାସନ ବ୍ୟବସ୍ଥାର ଏକ ପ୍ରମୁଖ ଉପାଦାନ। ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ସାରା ଦେଶରେ ଏକ ମଡେଲ ହେବାକୁ ଯାଉଛି।ସରକାର ଏହି ଦିଗରେ ନିର୍ଦ୍ଦେଶାବଳୀ ସହିତ ଆବଶ୍ୟକ ବଜେଟ ପ୍ରାବଧାନ କରିଛନ୍ତି। ବିଶ୍ଵସ୍ତରୀୟ ଭିତ୍ତିଭୂମୀ ସହିତ ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକ-ଶିକ୍ଷୟତ୍ରୀ ପ୍ରାଥମିକ ଶିକ୍ଷାର ଦଶା ଓ ଦିଶା ବଦଳାଇ ଦେବେ।
ଅତିରିକ୍ତ ବ୍ୟୟ ବାବଦକୁ ପ୍ରଧାନ ମନ୍ତ୍ରୀ-ପୋଷଣ ଅଧୀନରେ ୩ ଶହ ୯୨ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩ ଶହ ୨୦ କୋଟି ଟଙ୍କା, ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ବାବଦକୁ ୩ ଶହ ୭ କୋଟି ଟଙ୍କା, ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୨ ଶହ ୭ କୋଟି ଟଙ୍କାର ଅନୁଦାନ ଏବଂ ବେସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଇଁ ୧ ଶହ ୨୧ କୋଟି ଟଙ୍କାର ଅନୁଦାନ, ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୭୧ କୋଟି ଟଙ୍କାର ବ୍ୟବସ୍ଥା, ଶିକ୍ଷା ଅଧିକାର ଆଇନ ଅଧୀନରେ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରତି ଶିଶୁ ପିଛା ଖର୍ଚ୍ଚର ଭରଣା ପାଇଁ ୭୧ କୋଟି ଟଙ୍କା, ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଣ ପାଇଁ ୫୧ କୋଟି ଟଙ୍କା, ଏବଂ ପଞ୍ଚସଖା ଶିକ୍ଷା ସେତୁ ଯୋଜନା ପାଇଁ ୫୧ କୋଟି ଟଙ୍କାର ଆବଣ୍ଟନ କରାଯାଇଛି ।
ଏହି ସବୁ କାର୍ୟ୍ୟକ୍ରମ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ସହିତ ଡ୍ରପ ଆଉଟ ଦରକୁ ହ୍ରାସ କରିବାରେ ସଫଳ ହେବ । ସେହିପରି, ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରର ବିଭିନ୍ନ ଯୋଜନା ପାଇଁ ଅତିରିକ୍ତ ୧ ହଜାର ୧୬୪ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଅଛି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯ ଶହ ୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ମେଡିକାଲ କଲେଜରେ ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୁଲଭ ତୃତୀୟକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ମହାତ୍ମା ଗାନ୍ଧୀ କହିଥିଲେ, ‘ଭାରତର ଆତ୍ମା ଗାଁରେ ବାସ କରେ’। ଆମ ରାଜ୍ୟର ୮୨ ପ୍ରତିଶତରୁ ଅଧିକ ଲୋକେ ଗ୍ରାମାଞ୍ଚଳରେ ବାସ କରନ୍ତି। ତେଣୁ, ଗ୍ରାମର ଉନ୍ନତି ବିନା ଓଡିଶାର ସାମଗ୍ରିକ ବିକାଶ ଅସମ୍ଭବ। ପୂର୍ବ ସରକାର ବୋଧ ହୁଏ ଏହି କଥାକୁ ଠିକ୍ ଭାବେ ହୃଦୟଙ୍ଗମ କରିପାରି ନ ଥିଲେ।
ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏଯାବତ ୭ ଶହ ୧୯ ଟି ପ୍ରସ୍ତାବ ମଧ୍ୟରୁ ୪ ଶହ ୧୬ ଟି ଶିଳ୍ପ ପ୍ରସ୍ତାବ ମଞ୍ଜୁର ହୋଇଛି ।
ଏହାଦ୍ଵାରା ୪ ଲକ୍ଷ ୧୨ ହଜାର ୩ ଶହ ୭୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୨ ଲକ୍ଷ ୮୩ ହଜାର ୧ ଶହ ୯୪ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଗାମୀ ଦିନରେ ଓଡ଼ିଶା ଅତ୍ୟନ୍ତ ଉନ୍ନତ ସିଲିକନ୍ ସେମିକଣ୍ଡକ୍ଟର ଚିପ୍ସ ଉତ୍ପାଦନରେ ନିଜ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିବ। ଏହା ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଆଭ୍ୟନ୍ତରୀଣ ଏବଂ ଉପକୂଳ ଯୋଗାଯୋଗ, ଶିଳ୍ପ ବିବିଧତା, ଉଚ୍ଚ-ପ୍ରଯୁକ୍ତି ଉତ୍ପାଦନ, ଲଜିଷ୍ଟିକ୍ ବାଧା ହ୍ରାସ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଓଡିଶାକୁ ଆଗରେ ରଖିବ । କିଛି ଉଦାହରଣ ହେଉଛି –
୮ ହଜାର ୩ ଶହ କୋଟି ଟଙ୍କାର ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥର ଅନୁମୋଦନ ଓଡ଼ିଶାର ଉପକୂଳ ଯୋଗାଯୋଗ ପାଇଁ ଏକ ପ୍ରମୁଖ ପଦକ୍ଷେପ ।
ପ୍ରଥମ ପର୍ୟ୍ୟାୟରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ଦୂରତାକୁ ୨ ଶହ ୧୦ କିଲୋମିଟରରୁ ପ୍ରାୟ ୧ ଶହ ୬୦ କିଲୋମିଟରକୁ ହ୍ରାସ କରିବ, ଯାତ୍ରା ସମୟ ପ୍ରାୟ ୪୫% (୫ ଘଣ୍ଟା ୩୦ ମିନିଟରୁ ୨ ଘଣ୍ଟାକୁ) ହ୍ରାସ କରିବ, ଓଡ଼ିଶାର ଉପକୂଳରେ ସହଜରେ ଗତିଶୀଳତାକୁ ସହଜ କରିବ – ପର୍ୟ୍ୟଟନ, ବନ୍ଦର ପରିଚାଳନା, ଲଜିଷ୍ଟିକ୍ ହବ୍ ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ।
ପ୍ରାୟ ୮ ହଜାର ୪ ଶହ କୋଟି ଟଙ୍କାର ନିବେଶ ସହିତ ପ୍ରାୟ ୧ ଶହ ୧୧ କିଲୋମିଟର ଲମ୍ବ ୬-ଲେନ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ୍) ପାଇଁ ପ୍ରସ୍ତାବ, ଯାହା ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଭଳି ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ଟ୍ରାଫିକ ସମସ୍ୟା ହ୍ରାସ କରିବ ଏବଂ କମ୍ ଲଜିଷ୍ଟିକ୍ ଖର୍ଚ୍ଚ ସହିତ ସାମଗ୍ରୀ ଏବଂ ଯାତ୍ରୀ ପରିବହନକୁ ସୁଗମ କରିବ ଏବଂ ବାଣିଜ୍ୟ କାର୍ୟ୍ୟକଳାପକୁ ବୃଦ୍ଧି କରିବ।
ଉଚ୍ଚ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ, ଭାରତ ସେମିକଣ୍ଡକ୍ଟର ମିଶନ ଅନ୍ତର୍ଗତ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ସମେତ ଦୁଇଟି ନୂତନ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ – ଯାହାର ମୋଟ ନିବେଶ ଓଡ଼ିଶାରେ ୨ ହଜାର ୬୬ କୋଟି ଟଙ୍କାରୁ ଅଧିକ – ରାଜ୍ୟକୁ ଏକ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରିବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ସୁବିଧାଗୁଡ଼ିକ ଶହ ଶହ ଉଚ୍ଚ-କୁଶଳୀ ନିଯୁକ୍ତି ସୃଷ୍ଟି କରିବ, ସହାୟକ ଶିଳ୍ପକୁ ପ୍ରୋତ୍ସାହିତ କରିବ ଏବଂ ଭାରତର “ଆତ୍ମନିର୍ଭର ଭାରତ” ଦୃଷ୍ଟିକୋଣ ସହିତ ଓଡ଼ିଶାକୁ ସମାନ କରିବ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ଓଡିଶାରେ ୭୫ ହଜାର କୋଟି ରୁ ଅଧିକ ରେଳ ପ୍ରକଳ୍ପର କାର୍ୟ୍ୟ ଜାରି ରହିଛି ଏବଂ ୧୨ ହଜାର କୋଟିରୁ ଅଧିକ ଜାତୀୟ ରାଜପଥର କାର୍ୟ୍ୟ ଜାରି ରହିଛି।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ବ୍ୟାପକ ଓ ଶୃଙ୍ଖଳିତ ବିକାଶ ନିମନ୍ତେ ୪ ଶହ ୮୨ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ହୋଇଥିଲା । ବର୍ତ୍ତମାନ ଅତିରିକ୍ତ ବଜେଟରେ ଆଇନ ବିଭାଗ ଅଧୀନରେ ଶ୍ରୀ ଜଗନ୍ନାଥ ମନ୍ଦିର ନିମନ୍ତେ ୪୭ କୋଟି ଅନୁଦାନ ସହ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ୩ ଶହ ୧୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ତନ୍ମଧ୍ୟରୁ ପ୍ରମୁଖ ଯୋଜନାଗୁଡିକ ହେଲା – ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧୀନରେ ୧ ଶହ କୋଟି ଟଙ୍କା, ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ପାଇଁ ସଂସ୍କୃତି ନିର୍ଦ୍ଦେଶାଳୟକୁ ୩୦ କୋଟି ଟଙ୍କା ଅନୁଦାନ, କଳାମଣ୍ଡଳ ପ୍ରତିଷ୍ଠା ପାଇଁ ୯୦ କୋଟି ଟଙ୍କା, ଏବଂ କଳା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ୬୦ କୋଟି ଟଙ୍କାର ଅନୁଦାନ ।
ସମାଜର ସମସ୍ତ ବର୍ଗଙ୍କୁ ସାମାଜିକ ନ୍ୟାୟ, ସମାନତା ଓ ଅନ୍ତର୍ଭୁକ୍ତିକରଣ ନୀତି ମାଧ୍ୟମରେ ସଶକ୍ତ କରିବାର ଆବଶ୍ୟକତା ରହିଛି, ତେଣୁ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ବିଭିନ୍ନ ସରକାରୀ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପିଏମ୍-ଜନମନ ଯୋଜନା ଅଭିଯାନ ଆରମ୍ଭ କରାଯାଇଛି । ଜନଜାତିଙ୍କ ସର୍ବଙ୍ଗୀନ ଉନ୍ନତି ପାଇଁ ମୋଦୀଜୀଙ୍କ ପ୍ରୟାସରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ ହୋଇଛି ।
ଅନୁସୂଚିତ ଜାତି ବର୍ଗର ଲୋକେ ବି ଆମ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଅସ୍ପୃଶ୍ୟତା ଦୂର କରିବା ଏବଂ ସାର୍ବଜନୀନ ସ୍ଥାନରେ ସମସ୍ତଙ୍କୁ ସମାନ୍ ସୁରକ୍ଷା ପ୍ରଦାନ କରୁଥିବା ନାଗରିକ ଅଧିକାର ସୁରକ୍ଷା ଆଇନ, ୧୯୫୫କୁ ଓଡ଼ିଶାରେ କଡାକଡି ପାଳନ କରାଯାଉଛି । ରାଜ୍ୟରେ ସ୍ୱତନ୍ତ୍ର କୋର୍ଟ, ଭିଜିଲାନ୍ସ ଓ ମନିଟରିଂ କମିଟି ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ନିର୍ଦ୍ଦେଶାଳୟ ମାଧ୍ୟମରେ ଏହି ଆଇନକୁ କାର୍ୟ୍ୟକାରୀ କରାଯାଉଛି। ଏହି ଆଇନ ଅଧୀନରେ ୨୪ ହଜାର ଦୁଇ ଜଣ ହିତାଧିକାରୀଙ୍କୁ ୨୩ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଅଛି।
ତେଣୁ ଏହି ବିଭାଗ ପାଇଁ ଚଳିତ ବଜେଟରେ ୫୩୧ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।
, ଆଗାମୀ ଦୁଇ ବର୍ଷରେ ଓଡିଶାର ସମସ୍ତ ଗାଁକୁ ବିଜୁଳି, ପିଇବା ପାଣି ଏବଂ ରାସ୍ତା ସଂଯୋଗ କରିବା ପାଇଁ ସରକାର ‘ମିଶନ ପାୱାର’ କରିଛନ୍ତି। ଚଳିତ ଅତିରିକ୍ତ ବଜେଟରେ ଏଥିପାଇଁ ଆବଶ୍ୟକ ଅତିରିକ୍ତ ଅନୁଦାନ ୩୫୩ କୋଟି ଟଙ୍କାର ଅଧିକ ପ୍ରାବଧାନ କରିଛନ୍ତି। ସମୃଦ୍ଧ ଓଡିଶା ପାଇଁ ଆବଶ୍ୟକ ‘ସମୃଦ୍ଧ ଗ୍ରାମ’। ୨୦୩୬ ରେ ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଦିଗରେ ଅଗ୍ରସର । ୨୦୩୬ ସୁଦ୍ଧା ରାଜ୍ୟର ସର୍ବାଙ୍ଗୀନ ବିକାଶ, ସାମଗ୍ରୀକ ଅଭିବୃଦ୍ଧି ଏବଂ ଜନଜାତି ସଶକ୍ତିକରଣ କରି ବିକଶିତ ଭାରତ ଗଠନ ଦିଗରେ ଓଡିଶାର ବଳିଷ୍ଠ ଯୋଗଦାନକୁ ସୁନିଶ୍ଚିତ କରିବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ