
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ ଅଭିଜ୍ଞ ପ୍ରଶାସକ ଓ ଲୋକପ୍ରିୟ ରାଜନେତା ଥିଲେ। ଓଡ଼ିଶା ସରକାରର ମନ୍ତ୍ରୀ ଭାବରେ ସେ ଶିଳ୍ପ,ଉଚ୍ଚ ଶିକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ କାର୍ୟ୍ୟ କରି ରାଜ୍ୟର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରଖି ଯାଇଛନ୍ତି। ବିଜୁ ଜନତା ଦଳ ବାଲେଶ୍ୱର ଜିଲ୍ଲା ସଭାପତି ଭାବରେ ମଧ୍ୟ ସେ କାର୍ୟ୍ୟ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଅଭିଜ୍ଞ ରାଜନେତାଙ୍କୁ ହରାଇଲା ଏବଂ ବିଜୁ ଜନତା ଦଳ ଜଣେ ନିଷ୍ଠାପର ସଂଗଠକଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଜି ଭୋର ୪ ଟା ବେଳେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ ହୋଇଯାଇଛି ବୋଲି ପୁତ୍ର ଅଭିଜିତ ଦାସ ସୂଚନା ଦେଇଛନ୍ତି।। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଅନନ୍ତ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ହୋଇଛି।



