
ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଗତ ସିଜନରେ ଉଭୟ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲେ । ମାତ୍ର ଏଥର ଫାଇନାଲ୍ ଖେଳିବାର ଆଶା ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ ।ପୂର୍ବରୁ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ଦିଲ୍ଲୀ ୪ଟି ମ୍ୟାଚ ଜିତିଥିବାବେଳେ ଲକ୍ଷ୍ନୌ ୩ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଉଭୟ ମ୍ୟାଚରେ ଦିଲ୍ଲୀ ବିଜୟୀ ହୋଇଥିଲା । ଉଭୟ ଦଳ ଜଣେ ଲେଖାଏଁ ପ୍ରମୁଖ ଖେଳାଳିଙ୍କ ବିନା ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ । ଲକ୍ଷ୍ନୌ ଦଳର ସ୍ପିନର ୱାନିଣ୍ଡୁ ହସରଙ୍ଗା ଆହତ ଅଛନ୍ତି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ଏପର୍ଯ୍ୟନ୍ତ ଭାରତ ପଠାଇ ନାହିଁ।
ସେହିପରି ଦିଲ୍ଲୀ ଦଳର ପେସ୍ ବୋଲର ମିଚେଲ ଷ୍ଟାର୍କ ଆହତ ଥିବାରୁ ଭାରତ ଆସି ନାହାନ୍ତି । ପନ୍ତଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଉତ୍ସୁକତା ଲାଗି ରହିଛି । ସେ ଗତ ବର୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୩ନଂ ସ୍ଥାନରେ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ମାତ୍ର ଏହି ସ୍ଥାନରେ ନିକୋଲାସ ପୂରନ ଢ଼େର ରନ୍ ସଂଗ୍ରହ କରିସାରିଛନ୍ତି । ଦିଲ୍ଲୀ ମଧ୍ୟ ୩ନଂ ସ୍ଥାନକୁ ନେଇ ପରୀକ୍ଷା ନିରୀକ୍ଷା କରିବା ସମ୍ଭାବନା ରହିଛି । ନୀତିଶ ରାଣାଙ୍କୁ ଆଜି ଏହି ସ୍ଥାନରେ ଖେଳାଇବା ପାଇଁ ଦିଲ୍ଲୀ ଚିନ୍ତା କରୁଛି । ସେ ଗତ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ଏହି ସ୍ଥାନରେ ବ୍ୟାଟିଂ କରି ଦିଲ୍ଲୀ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିଲେ ।
ଆଜି ସମସ୍ତଙ୍କ ନଜର ଲକ୍ଷ୍ନୌର ଦୁଇ ପେସ୍ ବୋଲର ମହମ୍ମଦ ସାମି ଓ ମୟଙ୍କ ଯାଦବଙ୍କ ଉପରେ ରହିବା ନିଶ୍ଚିତ । ସାମି ଗତ ସିଜନରେ ଘରୋଇ କ୍ରିକେଟ୍ରେ ଘାତକ ବୋଲିଂ କରିଥିଲେ ହେଁ ଭାରତୀୟ ଦଳକୁ ଫେରି ପାରିନଥିଲେ । ରଣଜୀ ଟ୍ରଫିରୁ ଆରମ୍ଭ କରି ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ପର୍ଯ୍ୟନ୍ତ ସବୁ ଫର୍ମାଟ୍ରେ ତାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଥିଲା । ଏଥର ଆଇପିଏଲ୍ ଜରିଆରେ ସେ ପୁଣି ଥରେ ଚୟନକର୍ତ୍ତାଙ୍କୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରିବେ । ସେହିପରି ମୟଙ୍କ ଯାଦବ ଫିଟ୍ ହୋଇ ଫେରିଛନ୍ତି ଓ ପୂର୍ବ ଲୟ ଫେରି ପାଇଛନ୍ତି ।
ସମ୍ଭାବ୍ୟ ଦଳ
ଲକ୍ଷ୍ନୌ ପ୍ଲେଇଂ ଇଲେଭେନ: ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି, ଅବଦୁଲ ସମଦ, ଅକ୍ସତ ରଘୁବଂଶୀ/ହିମତ ସିଂହ, ସାହବାଜ ଅହମ୍ମଦ, ମହମ୍ମଦ ସାମି, ମୟଙ୍କ ଯାଦବ, ଦିଗବେଶ ରାଠି, ଇମ୍ପାକ୍ଟ ସବ୍: ଆନରିଚ ନର୍ଜ ।
ଦିଲ୍ଲୀ ପ୍ଲେଇଂ ଇଲେଭେନ : କେଏଲ ରାହୁଲ, ପଥୁମ ନିଶଙ୍କା, ନୀତିଶ ରାଣା, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ (ଅଧିନାୟକ), ଡେଭିଡ୍ ମିଲର, ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ଆକିବ ନବି, ଦୁଷ୍ମନ୍ତ ଚାମୀରା, କୁଲଦୀପ ଯାଦବ, ଇମ୍ପାକ୍ଟ ସବ: ଟି ନଟରାଜନ ।




