
ଲକ୍ଷ୍ନୌ :ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୫ର ଆଜି ୩୦ତମ ମ୍ୟାଚ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ ମଧ୍ୟରେ ଏକ୍ନା ଷ୍ଟାଡ଼ିୟମରେ ଖେଳାଯିବ। ମ୍ୟାଚ ମୁଖ୍ୟତଃ ପୂର୍ବତନ ଭାରତୀୟ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ବର୍ତ୍ତମାନର ୱିକେଟରକ୍ଷକ ଋଷଭ ପନ୍ତଙ୍କ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌ ଅପେକ୍ଷା ଚେନ୍ନଇ ସୁପରକିଙ୍ଗ୍ସ ପାଇଁ ଉକ୍ତ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ।
ଋଷଭ ପନ୍ତ୍ଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ୬ଟି ମ୍ୟାଚ ଖେଳି ୪ ଟି ବିଜୟ ଓ ଦୁଇଟି ପରାଜିତ ହୋଇଛି। ବ୍ୟାଟିଂରେ ନିକୋଲାସ ପୁରନ ଓ ମିଚେଲ ମାର୍ଶ ଚମତ୍କାର ଫର୍ମରେ ରହିଛନ୍ତି। ପୁରନ ୬ ଟିମ୍ୟାଚରୁ ୩୪୯ ଓ ମାର୍ଶ ୨୬୫ରନ କରିଛନ୍ତି। ଯାହା ଚେନ୍ନଇ ପାଇଁ ଚିନ୍ତାର ବିଷୟ ହେବ। ଗୁଜରାଟ ବିପକ୍ଷରେ ମିଚେଲ ମାର୍ଶ ଖେଳିନଥିଲେ। ଚେନ୍ନଇ ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଆୟୁଷ ବାଦୋନି, ଅବଦୁଲ ସାମଦ ଓ ଡେଭିଡ୍ ମିଲର ମଧ୍ୟ ରନ କରୁଛନ୍ତି। ପ୍ରଥମ ୫ଟି ମ୍ୟାଚରୁ ମାତ୍ର ୧୯ରନ କରିଥିବା ପନ୍ତ ଗୁଜରାଟ ବିପକ୍ଷରେ ଓପନିଂ କରି ୨୧ରନ କରିଥିଲେ। ପନ୍ତଙ୍କ ବ୍ୟାଟ୍ରୁ ରନ ବାହାରିବା ଲକ୍ଷ୍ନୌକୁ ଆଶ୍ବସ୍ତି କରିଛି। ବୋଲିଂ କ୍ଷେତ୍ରରେ ସାର୍ଦୁଳ ଠାକୁର ଓ ରବି ବିଷ୍ଣୋୟି ନିୟମିତ ଭଲ ପ୍ରଦର୍ଶନ କରୁଥିବାବେଳେ ଦିଗବେଶ ରାଠି,ଆକାଶ ଦୀପ୍ , ଆଭେଶ ଖାନ ମଧ୍ୟ ୱିକେଟ ନେଉଛନ୍ତି। ଦଳ ଶେଷ ୩ଟି ମ୍ୟାଚରେ ବିଜୟ ହାସଲ କରିଥିବାରୁ ଚେନ୍ନଇ ବିପକ୍ଷରେ ପ୍ରଦର୍ଶନକୁ ବଜାୟ ରଖିବାକୁ ଦୃଢ ଆଶାବାଦୀ ରହିଛି। ସେହିପରି ଚେନ୍ନଇ ସୁପରକିଙ୍ଗ୍ସ ୬ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୫ଟି ପରାଜୟ ସହ ମାତ୍ର ଦୁଇ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ଦଳ ଚଳିତ ସିଜିନର ପ୍ରଥମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରି ଭଲ ଆରମ୍ଭ କରିଥିବାବେଳେ ଶେଷ ୫ଟି ମ୍ୟାଚରେ ପରାଜିତ ହୋଇଛି। ପ୍ଳେ ଅଫକୁ ଯିବାକୁ ହେଲେ ଚେନ୍ନଇ ପାଇଁ ଏବେ ଅବଶିଷ୍ଟ ୮ଟି ମ୍ୟାଚ ଗୁରୁତ୍ବପୂୂର୍ଣ୍ଣ ହୋଇଛି। ଏହି ଦୃଷ୍ଟିରୁ ଦଳ ପାଇଁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ କର ବା ମର ସଦୃଶ ହୋଇଛି। ଋତୁରାଗ ଗାଏକ୍ବାର୍ଡ ଆହତ ହୋଇ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡ଼ିବା ପରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦକୁ ଫେରିଛନ୍ତି। କ୍ୟାପଟେନ କୁଲ ଭାବେ ପରିଚିତ ଧୋନିଙ୍କ ନେତୃତ୍ବରେ ଦଳ କଲକାତା ନାଇଟ୍ ରାଇଡର୍ସ ନିକଟରୁ ଶୋଚନୀୟ ପରାଜୟ ଭୋଗିଥିଲା। ରଚିନ ରବିନ୍ଦ୍ର, ଡିଭନ କନ୍ୱେ, ଶିଭମ ଦୁବେ, ବିଜୟ ଶଙ୍କର, ରବୀନ୍ଦ୍ର ଜାଡେଜା, ରାହୁଲ ତ୍ରିପାଠୀ ଓ ଧୋନି ବ୍ୟାଟିଂ ବିଭାଗରେ ବିଫଳ ହେଉଛନ୍ତି। ନୂର ଅହମ୍ମଦଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ରବିଚନ୍ଦ୍ରନ ଅଶ୍ବିନ, ମାଥିଶା ପାଥିରାଣା ବୋଲିଂ ବିଭାଗରେ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଦଳକୁ ବିଜୟ ନେଇ ଏବେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।




