
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ଜାରି ରହିଥିବାବେଳେ ୧୩ ଯାଏଁ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରିହୋଇଛି । ସେହିପରି ଝଡ଼ବର୍ଷାର ପ୍ରଭାବରେ ତାତି ବି ଖସିବାରେ ଲାଗିଛି । ଏବେ ରାଜ୍ୟର ସବୁ ସହରର ପାରଦ ୪୦ ଡିଗ୍ରୀ ତଳେ ରହିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ୪୦ରୁ ୫୦ କିମି ବେଗରେ ଝଡ଼ତୋଫାନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ୩୦ରୁ ୪୦ କିମି ବେଗରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ଅଛି । ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ଅନୁଗୁଳରେ ତାପମାତ୍ରା ୩୮.୧ ଡିଗ୍ରୀ ଥିବାବେଳେ ସମ୍ବଲପୁରରେ ୩୭.୮, ହୀରାକୁଦରେ ୩୭.୬, ତାଳଚେରରେ ୩୮.୨, ବଲାଙ୍ଗୀରରେ ୩୯.୩, କୋରାପୁଟରେ ୩୭.୫, ସୋନପୁରରେ ୩୮.୫, ନୂଆପଡ଼ାରେ ୩୮.୨, ଖୋର୍ଦ୍ଧାରେ ତାପମାତ୍ରା ୩୭ ଡିଗ୍ରୀ ରହିଛି ।


