ଆସନ୍ତା ୨୬ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆସନ୍ତା ୨୩ତାରିଖରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ୨୩ତାରିଖ ଅପରାହ୍ନରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। ମୋହନ ମାଝୀ ସରକାରଙ୍କ ଏହି ପ୍ରଥମ ଅତିରିକ୍ତ ଚିଠା ବଜେଟଟି ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ ରହିଛି ତଥା ବଜେଟର ପୁନଃପ୍ରାଥମିକତା ପାଇଁ ପ୍ରୟାସ କରାଯାଇଛି । ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ଏହି ଚିଠା ବଜେଟକୁ ଉଭୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଅନୁମୋଦନ ମିଳିବ। ୨୩ତାରିଖ ଅପରାହ୍ନରେ ମନ୍ତ୍ରିମଣ୍ଡଳ ବୈଠକ ପାଇଁ ଦିନଧାର୍ଯ୍ୟ ହୋଇଛି । ଅତିରିକ୍ତ ଚିଠା ବଜେଟ ଅନୁମୋଦନ ସହ ୪ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ମଧ୍ୟ ଗୃହରେ ଉପସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଗତ ଜୁଲାଇ ୨୫ତାରିଖରେ ଉପସ୍ଥାପନ କରିଥିଲେ, ଯାହାକି ସେପ୍ଟେମ୍ବର ୧୧ତାରିଖରେ ଅନୁମୋଦନ ଲାଭ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ନିଜ ଦମରେ ସରକାର ଗଠନ କରିଥିବା ଯୋଗୁ ପ୍ରଶାସନିକ ବ୍ୟୟ ଅପେକ୍ଷାକୃତ ଗତିଶୀଳ ହୋଇପାରିନି । ତେଣୁ ରାଜ୍ୟ ସରକାର ଏଥର ଅତିରିକ୍ତ ବଜେଟକୁ ଚିରାଚରିତ ଢଙ୍ଗରେ ନକରି ବିଭାଗଗୁଡ଼ିକୁ ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ବିଭାଗଗୁଡ଼ିକ ପୂର୍ବରୁ ମନଇଚ୍ଛା ଅତିରିକ୍ତ ବଜେଟ୍ ବ୍ୟୟବରାଦ ପ୍ରସ୍ତାବ ଦେଇ ଆର୍ଥିକ ବର୍ଷ ଶେଷବେଳକୁ ସେହି ଅର୍ଥ ଖର୍ଚ୍ଚ କରିପାରୁନଥିବାରୁ ବହୁଳ ପରିମାଣର ପାଣ୍ଠି ଖର୍ଚ୍ଚ ନହୋଇ ସରେଣ୍ଡର ହେଉଛି । ଅତିରିକ୍ତ ବଜେଟ ବ୍ୟବସ୍ଥାର ଏଭଳି ସରେଣ୍ଡର ଉପରେ ମହାଲେଖାକାର ପ୍ରତିକୂଳ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ତେଣୁ ଅତିରିକ୍ତ ବଜେଟ୍ ପ୍ରସ୍ତାବ ଅବାସ୍ତବ ଢଙ୍ଗରେ ନକରିବା ପାଇଁ ତାଗିଦ୍ ଏଥର କାମ ଦେଇଛି । ବିଭାଗଗୁଡ଼ିକ ବଜେଟର ପୁନଃପ୍ରାଥମିକତା ନିର୍ଦ୍ଧାରଣ କରିବା ଉପରେ ଗୁରୁତ୍ୱ ଦେଇଥିବା ଅର୍ଥ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ବଜେଟରେ ଚାଷୀଙ୍କ ଧାନ କିଣାରେ ଇନପୁଟ ସହାୟତା, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ଗରିବ ଲୋକଙ୍କୁ ଦିଆଯାଉଥିବା ମାସିକ ଭତ୍ତା ପରିମାଣ ବୃଦ୍ଧି, ବିକଶିତ ଗାଁ-ବିକଶିତ ସହର-ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ,ସ୍ୱାସ୍ଥ୍ୟବୀମା ଏବଂ ଓଡ଼ିଶା ଜରୁରୀକାଳୀନ ପାଣ୍ଠି(ଓସିଏଫ)ରୁ ଅର୍ଥ ଭରଣା ଆଦି ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟର ପ୍ରାୟ ୫ରୁ ୮ପ୍ରତିଶତ ମଧ୍ୟରେ ପ୍ରଥମ ଅତିରିକ୍ତ ବଜେଟ ବ୍ୟୟବରାଦ ସୀମିତ ରହିବ ବୋଲି ଅର୍ଥ ବିଭାଗ ସୂତ୍ରରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ।

Related Posts

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

Continue reading
ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାବାସୀଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ