ଏଥର ପୁଣି ନିରାଶ କରିବ ମୌସୁମୀ: ସ୍ୱାଭାବିକଠାରୁ କମ୍ ବର୍ଷା ହେବ

ଭୁବନେଶ୍ୱର: ନିରାଶ କରିବ ମୌସୁମୀ । ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିପାରେ ଓଡ଼ିଶାରେ । ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡ଼ା, ବରଗଡ଼କୁ ଛାଡ଼ି ବାକି ପ୍ରାୟତଃ ବର୍ଷା ଅଭାବ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ଏଭଳି ଉଦବେଗଜନକ ପୂର୍ବାନୁମାନ ଦେଇଛି ।
କେବଳ ଓଡ଼ିଶା ନୁହେଁ, ଦକ୍ଷିଣ ଓ ଉତ୍ତର ପୂର୍ବ ଭାଗକୁ ଛାଡ଼ିଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ଜୁନ୍‌ରୁ ସେପ୍ଟେମ୍ବର ମାସ ଭିତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ଆଇଏମ୍‌ଡି ଆକଳନ ଅନୁସାରେ, ମୌସୁମୀ ସମୟରେ ଦେଶରେ ସ୍ୱାଭାବିକ ଭାବେ ଯେତିକି ପରିମାଣର ବର୍ଷା ହେବା କଥା, ତାର ୯୨% ବର୍ଷା ହେବ ।ଏବେ ଦେଶରେ ଲା-ନିନା ଦୁର୍ବଳ ସ୍ଥିତିରେ ରହିଛି । ଏହା ଧୀରେ ଧୀରେ ନିଉଟ୍ରାଲ ସ୍ଥିତିକୁ ଯାଉଛି । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୁର୍ବଳ ଲା- ନିନା ସ୍ଥିତି ରହିଛି । ତେବେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ଏଲ-ନିନୋ ସ୍ଥିତି ରହିବ ବୋଲି ମନସୁନ ମିଶନ କ୍ଲାଇମେଟ ଫୋରକାଷ୍ଟ ସିଷ୍ଟମ(ଏମଏମସିଏଫଏସ୍) ପୂର୍ବାନୁମାନ କରିଛି । ବର୍ତ୍ତମାନ ଇଣ୍ଡିଆନ ଓସେନ ଡାଏପୋଲ(ଆଇଓଡି) ନିଉଟ୍ରାଲ ସ୍ଥିତିରେ ଅଛି ।
ବିଭିନ୍ନ ପାଣିପାଗ ମଡେଲ ଅନୁସାରେ, ମୌସୁମୀ ଋତୁର ଶେଷ ଆଡ଼କୁ ଆଇଓଡି ପଜିଟିଭ୍ ହେବା ସମ୍ଭାବନା ଅଛି । ଆଇଓଡି ପଜିଟିଭ୍ ହେଲେ ବର୍ଷା ସ୍ଥିତିରେ ସୁଧାର ଆସିବ ଓ ଭଲ ବର୍ଷା ହୋଇପାରେ । ତେବେ ଚଳିତ ମୌସୁମୀରେ ବର୍ଷା କମ୍ ହେବାର ଅନ୍ୟତମ କାରଣ ହେଉଛି, ଗତ ଜାନୁୟାରୀରୁ ମାର୍ଚ୍ଚ ମାସ ଭିତରେ ଦେଶର ଉତ୍ତର ଗୋଲାର୍ଦ୍ଧ କମ୍ ବରଫାବୃତ ହୋଇଥିଲା ।ମୌସୁମୀ ବର୍ଷା କମିଲେ ଚାଷ ଉପରେ ପ୍ରଭାବ ପଡ଼ିବ । ବିଶେଷ କରି ଧାନ ଚାଷ ଗୁରୁତର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଯଦି ଆଇଓଡି ପଜିଟିଭ୍ ରହିବ ତେବେ ବର୍ଷା ଭଲ ହୋଇପାରେ । ପୁଣି ଘୂର୍ଣ୍ଣିଝଡ଼ ପ୍ରଭାବରେ ମଧ୍ୟ ବର୍ଷା ସ୍ଥିତିରେ ସୁଧାର ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଭିନ୍ନ ଆକଳନ କରିଛି । ଏଥିରେ କୁହାଯାଇଛି, ଏଥର ଓଡ଼ିଶା ଉପରେ ମୌସୁମୀ କୃପା କରିପାରେ । ଯଦିଓ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ସମ୍ଭାବନା ରହିଥିବା ସ୍କାଏମେଟ ମଧ୍ୟ ଆକଳନ କରିଛି ।

  • Related Posts

    ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ…

    Continue reading
    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ