
ଭୁବନେଶ୍ବର: ବିଜେପି ସମର୍ଥିତ ରାଜ୍ୟସଭା ପ୍ରାର୍ଥୀଙ୍କ ପାଇଁ ଭୋଟ କିଣିବା ଉଦ୍ଦେଶ୍ୟରେ ଚାରି ଜଣ ବ୍ୟକ୍ତି ବେଙ୍ଗାଲୁରୁରେ ବିଧାୟକଙ୍କୁ ବ୍ଲାଙ୍କ ଚେକ୍ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଧରାପଡ଼ିଥିବା ଖବର ମିଳିଛି। ମୁଁ ଗତ କିଛି ଦିନ ଧରି ଲଗାତାର ଭାବେ କହି ଆସୁଥିଲି ଯେ ଓଡ଼ିଶାର ଅନ୍ୟ ଦଳର ବିଧାୟକଙ୍କୁ ନିଜ ସପକ୍ଷକୁ ନେବାକୁ ଘୋଡ଼ା ବେପାର ଭଳି କାର୍ୟ୍ୟରେ ବିଜେପି ଲିପ୍ତ ରହିଛି। ବେଙ୍ଗାଲୁରୁରେ ହୋଇଥିବା ଏହି ଗିରଫଦାରୀ ଏହାର ବଡ଼ ପ୍ରମାଣ। ଓଡ଼ିଶାର ଲୋକେ ସବୁ ଦେଖୁଛନ୍ତି ଏବଂ ଏହାକୁ ନିଶ୍ଚୟ ମନେ ରଖିବେ।
କଂଗ୍ରେସ ବିଧାୟକଙ୍କୁ ଏକାଠି ରଖିବାକୁ ୮ ଜଣ ବିଧାୟକଙ୍କୁ ପିସିସି ସଭାପତି ବେଙ୍ଗାଲୁରୁ ନେଇଥିଲେ। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଘ କରିଛି। ଏହି ଅଭିଯୋଗ ଭିତ୍ତିରେ ଚାରିଜଣଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କରିଛି। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଅଭିଯୋଗ କରିଛନ୍ତି, ଆମର ବିଧାୟକଙ୍କୁ ଟ୍ରାପ୍ କରିବାକୁ ୫ କୋଟି ଲେଖାଏଁ ଅଫର୍ କରାଯାଇଛି। ଓଡ଼ିଶାରୁ ୪ ଜଣ ଶନିବାର ରାତିରୁ ଆସି ବିଧାୟକ ରହୁଥିବା ହୋଟେଲରେ ଥିଲେ। ସେମାନେ ଆମ ବିଧାୟକଙ୍କ ପଛପଛେ ବୁଲିବା ସହ ଆଜି ସକାଳେ ଲିଫ୍ଟରେ ଏକାଠି ଯିବାବେଳେ ଏବଂ ଜଳଖିଆ କରିବାବେଳେ ଟଙ୍କା ଅଫର୍ କରିଛନ୍ତି। ଦିଲୀପ ରାୟଙ୍କୁ ଭୋଟ୍ ନଦେଲେ ଓଡ଼ିଶା ଗଲେ ଅପହରଣ କରାଯିବ ବୋଲି ଧମକ ଦେଇଛନ୍ତି। ଆମେ ପୁଲିସକୁ ଅଭିଯୋଗ କରିବା ପରେ ପଚରାଉଚରାରୁ ଜଣାପଡ଼ିଛି ଯେ ସେମାନେ ରାଉରକେଲା ଓ ଢେଙ୍କାନାଳରୁ ଆସିଛନ୍ତି।




