
ଭୁବନେଶ୍ୱର:କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଶୁକ୍ରବାର ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । ଏହି ଅବସରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିବୃତ୍ତି ରଖିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ବର୍ବୋରଚିତ ବୋଲି ମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ କିଟ ଘଟଣାକୁକୁ ନେଇ ୩ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ କେନ୍ଦ୍ର ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି କେନ୍ଦ୍ର ସରକାର ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଉଛନ୍ତି । ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଆଲୋଚନା କରିଛନ୍ତି । ଏମିତିକି ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିବା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରାଜ୍ୟ ସରକାର ୪ଟି ୨୪ଘଣ୍ଟିଆ ହେଲ୍ପ ଲାଇନ ଜାରି କରିଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରିଆସିବାକୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ ହେବ । ମିଡ ସେମିଷ୍ଟାର ଘୁଞ୍ଚାଯିବ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ।
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଅଚ୍ୟୁତଙ୍କୁ ନୋଟିସ୍ ଜାରି ହୋଇଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଏହି ନୋଟିସ୍ ପଠାଇ ୨୧ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ ଅତିଥିଭବନର ନୂଆ କୋଠାରେ ଥିବା ମିନି କନଫରେନ୍ସ ହଲରେ ଉଚ୍ଚସ୍ତରୀୟ କମିଟିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ଆବଶ୍ୟକ ଦସ୍ତାବିଜ ଓ ତଥ୍ୟପ୍ରମାଣ ସହ ଆସିବାକୁ କୁହାଯାଇଛି ।



