
ଭୁବନେଶ୍ବର: ନୂଆ ସହର ଉନ୍ନୟନ ଯୋଜନାକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ୫ଟି ବିଭାଗର ୫ଟି ପ୍ରସ୍ତାବରେ ମୋହର ମାରିଛନ୍ତି ମୋହନ ସରକାର । ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା ।
ଓଡିଶାର ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ୨୦୧୩ ମସିହାରୁ ଆରମ୍ଭ ହୋଇଛି । ଯୋଜନା ଅନୁଯାୟୀ, ବାର୍ଷିକ ଆନୁମାନିକ ୧୧-୧୨ ଲକ୍ଷ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସମେତ ୨୦ ମିନିଟ ମଧ୍ୟରେ ନିର୍ଦ୍ଦିଷ୍ଟ ଜନସ୍ବାସ୍ଥ୍ୟ ସୁବିଧାକୁ ସ୍ଥାନାନ୍ତରିତ କରାଯିବ । ବର୍ତ୍ତମାନ ରାଜ୍ୟରେ ମୋଟ ୮୬୬ ଟି EMAS ୧୦୮ ଆମ୍ବୁଲାନ୍ସ ରହିଛି । ୪୧୧ଟି ALS, ୪୪୯ ଟି BLS ଏବଂ ୬ ଟି ବୋଟ ଆମ୍ବୁଲାନ୍ସ ରହିଛି । ମୋଟ ଆମ୍ବୁଲାନ୍ସରୁ ୪୨୧ ଟି ୫ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ନିର୍ଦ୍ଧାରିତ ଅଢେ଼ଇ ଲକ୍ଷ କିମିରୁ ଅଧୂକା ଚାଲିସାରିଲାଣି । ଉନ୍ନତ ମାନର ସେବା ପ୍ରଦାନ ପାଇଁ ଏହି ଆମ୍ବୁଲାନ୍ସ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ । ଝାରସୁଗୁଡାର କାର୍ଡିଆକ କେୟାର ହସ୍ପିଟାଲରେ ୨ ଟି ALS ଆମ୍ବୁଲାନ୍ସ ଏବଂ ବିମାନବନ୍ଦର ପାଇଁ ୫ ଟି ALS ଆମ୍ବୁଲାନ୍ସ କିଣାଯାଇ ଯୋଗାଇ ଦିଆଯିବ । କ୍ୟାବିନେଟ ଜାତୀୟ ସ୍ବାସ୍ଥ୍ୟ ମିଶନ ଦ୍ବାରା ୪୨୮ ଟି ଆମ୍ବୁଲାନ୍ସ ଆନୁମାନିକ ବ୍ୟୟ ୧୧୮.୯୮ କୋଟି ଟଙ୍କାରେ କ୍ରୟ ପ୍ରସ୍ତାବକୁ ମୋହର ମାରିଛି । ୧୧୮.୦୬ କୋଟି ରାଜ୍ୟ ବଜେଟ ଓ ୦.୯୨ କୋଟି ଟଙ୍କା MCL ଯୋଗାଇ ଦେବ ।




