
ହିଞ୍ଜିଳିକାଟୁ (ଗଞ୍ଜାମ): ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡାହାଡ ନଦୀରେ ବୁଡି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ । ସହରର ଏକ ଘରୋଇ କୋଚିଂ ସେଣ୍ଟରରେ ଅଧ୍ୟୟନରତ କିଛି ଛାତ୍ର ଆଜି (ବୁଧବାର) ସକାଳୁ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ନିକଟସ୍ଥ ଘୋଡାହାଡ ନଦୀକୁ ଯାଇଥିଲେ । ଅସାବଧାନତା ବଶତଃ ପାଣିରେ ବୁଡି ଯିବାରୁ ପ୍ରାଣ ହରାଇଛନ୍ତି । ଦୁଇ ମୃତକ ଛାତ୍ର ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ (୧୪) ଓ ଗାୟତ୍ରୀ ନଗର ପ୍ରିତମ ସାମେଲି (୧୪) ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଆଜି ହିଞ୍ଜିଳିକାଟୁ ସହରର ଏକ ଘରୋଇ କୋଚିଂ ସେଣ୍ଟରରୁ ପ୍ରାୟ ୧୦ରୁ ୧୨ ଜଣ ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଘୋଡ଼ାହାଡ଼ ନଦୀକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ପାଣି ଭିତରକୁ ଯାଇଥିଲେ । ଏହି ସମୟରେ ଅସାବଧାନତା ବଶତଃ ଦୁଇ ଜଣ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଦୁଃଖଦ ଘଟଣା ଜଣାପଡ଼ିବା ପରେ ମୃତକଙ୍କ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ମୂର୍ତ୍ତି ବିସର୍ଜନ ବେଳେ ଘଟିଯାଇଥିବା ଏଭଳି ଏକ ଅଭାବନୀୟ ଘଟଣା ପୁଣି ଘରୋଇ କୋଚିଂ ସେଣ୍ଟର ଶିକ୍ଷାନୁଷ୍ଠାନର ଖାମଖିଆଲ ମନୋଭାବ ଓ ଦାୟିତ୍ୱ ହୀନତାକୁ ପଦାରେ ପକାଇଛି ।








