
ଆଠଗଡ଼ : ମାଙ୍କଡ଼ ଆକ୍ରମଣରେ ମହିଳା ମୃତ। ଆଠଗଡ଼ ଥାନା ରାଜନଗର ଗାଁରେ ମାଙ୍କଡ଼ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ରାଜନଗର ଗାଁର ସୁଲୋଚନା ସାହୁ (୬୧ ବର୍ଷ)।ସୂଚନାନୁଯାୟୀ, ସୁଲୋଚନା ଛାତ ଉପରକୁ ଯାଇଥିବା ବେଳେ ତାଙ୍କୁ ଏକ ମାଙ୍କଡ଼ ଆକ୍ରମଣ କରିଥିଲା। ଫଳରେ ସେ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ସୁଲୋଚନାଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଛି। ଆଠଗଡ଼ ସଦର ରେଞ୍ଜରେ ଏବେ ମାଙ୍କଡ଼ ଉତ୍ପାତ ବୃଦ୍ଧି ପାଉଥିବା ବେଳେ ଗତ କିଛି ଦିନ ଭିତରେ ମାଙ୍କଡ଼ ଆକ୍ରମଣରେ ଛଅରୁ ସାତ ଜଣ ଲୋକ ଆହତ ହୋଇଛନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳରୁ ମାଙ୍କଡ଼ଙ୍କୁ ତୁରନ୍ତ ଘଉଡ଼ାଇବାକୁ ସର୍ବସାଧାରଣରେ ଦାବି ହୋଇଛି।




