
ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେବ।ଯାହାକୁ ନେଇ ଦେବଗଡ କଲେଜ କ୍ୟାମ୍ପସ ବର୍ତ୍ତମାନ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ବିଭିନ୍ନ ଛାତ୍ର ସଂଗଠନ ଓ ଛାତ୍ରନେତାମାନେ ମଧ୍ୟ ହୋଇପଡ଼ିଛନ୍ତି। ପଶ୍ଚିମ ଓଡିଶାର ସର୍ବପୁରାତନ ଦେବଗଡ କଲେଜରେ ପ୍ରଥମେ ୧୯୬୩-୬୪ରେ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇଥିଲା। ରାଜ୍ୟରେ ୨୦୧୭ ପରଠାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଚଳିତ ବର୍ଷ ପୁଣି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଚ୍ଚ ଶିକ୍ଷା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ।୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ।୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ପରେ ପ୍ରଚାର ଓ ଅନ୍ୟାନ୍ୟ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବ।୧୫ ତାରିଖରେ ଭୋଟଗ୍ରହଣ ଓ ଭୋଟ ଗଣତି ହେବ। ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନିର୍ବାଚନର ପ୍ରସ୍ତୁତି ନେଇ ଆଜି ଦେବଗଡ କଲେଜର ଅଧ୍ୟକ୍ଷ ବିକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ କଲେଜର ସମସ୍ତ ଅଧ୍ୟାପିକ ଅଧ୍ୟାପିକା ଯୋଗ ଦେଇ ନିର୍ବାଚନ କିପରି ସଠିକ ଭାବେ ପରିଚାଳନା ହେବ ସେ ସଂପର୍କରେ ମତ ରଖିଥିଲେ। ନିର୍ବାଚନ ପ୍ରକ୍ରିୟାକୁ ସଠିକ ଭାବେ ସମ୍ପାଦନ କରାଯିବ ବୋଲି କଲେଜର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ବିଜ୍ଞପ୍ତି ପ୍ରକାଶ ପରେ କଲେଜରେ ଛାତ୍ର ରାଜନୀତି ଆସ୍ତେ ଆସ୍ତେ ସରଗରମ ହେବା ପରିଲିକ୍ଷିତ କରାଯାଉଅଛି।








