ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଭୁବନେଶ୍ୱର,0୪/୧୧:ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ। ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ।
ଅଖତର ଏକାଧାରରେ ଜଣେ ସଂଳାପ ଲେଖକ, ଗୀତିକାର, କବି ଏବଂ ଚିନ୍ତକ। ତାଙ୍କର ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି। ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି। ପାଂଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମ ଭୁଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି। ଉନ୍ନତ ଚିନ୍ତାଧାରା ସମ୍ପନ୍ନ ଅଖତର ହାର୍ଭାଡ, ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ ଭଳି ପୃଥିବୀର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଓ ପ୍ରଫେସର ମାନଙ୍କୁ ସମ୍ବୋଧିତ କରିଛନ୍ତି। ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି।
ଜାଭେଦ ଅଖତରଙ୍କୁରେ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତୀ ଓ ଉତରୀୟ ପ୍ରଦାନ କରାଯିବ। ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା। ଏହି ସୂଚନା ଦେଇଛନ୍ତି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା। ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି।

Related Posts

ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

Continue reading
ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ