
ଭୁବନେଶ୍ୱର : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ଅଧୀନରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ଜମି ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l ସୂଚନାଯୋଗ୍ଯ ଯେ, ଗ୍ରାମପଞ୍ଚାୟତ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ l ଏହି ଯୋଜନା ଅଧୀନରେ, ପ୍ରଥମ ପର୍ଯ୍ୟାୟରେ ୧୧୮ଟି ବିଦ୍ୟାଳୟ ଚୟନ କରାଯାଇ, ରାଜ୍ୟସ୍ତରୀୟ ଶିଳାନ୍ୟାସ କାର୍ଯ୍ୟକ୍ରମ ୭ ଜାନୁଆରୀ ୨୦୨୬ ତାରିଖରେ ଆୟୋଜିତ ହୋଇଥିଲା l ପୁନଶ୍ଚ ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ଯ ୨୧୨ଟି ବିଦ୍ୟାଳୟ ମଧ୍ଯ ଇତିମଧ୍ୟରେ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଛି l ଏତଦ୍ ବ୍ୟତୀତ ଉକ୍ତ ଯୋଜନା ଅଧୀନରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗ୍ରାମପଞ୍ଚାୟତଗୁଡି଼କୁ ମଧ୍ଯ ଅନ୍ତର୍ଭୁକ୍ତ କରାଯିବ l
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସମନ୍ୱୟରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ଷମତାପନ୍ନ କର୍ତୃପକ୍ଷ ଆବଶ୍ୟକ ଅଧିଗ୍ରହଣ ଫର୍ମ୍ ଦାଖଲ କଲେ, ଚିହ୍ନଟ ହୋଇଥିବା ଜମିକୁ ଉକ୍ତ ବିଭାଗ ପକ୍ଷରେ ହସ୍ତାନ୍ତର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି l



