
ଭୁବନେଶ୍ବର: ବଙ୍ଗୋପ-ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେବା ସହ ସତର୍କ କରାଇଛି ପାଣିପାଗ ବିଭାଗ ।ରାଜ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ମେଘୁଆ ପାଗ ସହ ବର୍ଷା ହେଉଥିବା ବେଳେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲି(ଶୁକ୍ରବାର) ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ରାଜ୍ୟରେ ବର୍ଷା ଲାଗିରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ଜନିତ ବର୍ଷା, ବିଶେଷକରି ଉପକୂଳ ଓ ଉତ୍ତର-ଅଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ ବୋଲି ଆକଳନ କରିଛି ବିଭାଗ ।ଆଗାମୀ ୩ ରୁ ୪ ଦିନ ପର୍ୟ୍ୟନ୍ତ ବର୍ଷା ଜାରି ରହିବ । ଆଜି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୨୦ ଜିଲ୍ଲାକୁ ବିଜୁଳି ଘଡଘଡି ସହ ୟେଲୋ ଚେତାବନୀ ଦିଆଯାଇଛି । କେନ୍ଦ୍ରାପଡ଼ା ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନାକୁ ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଆସନ୍ତାକାଲି(ଶୁକ୍ରବାର) ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବା ବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।








