
ଚଳିତ ବର୍ଷ ୬୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ
ଦେବଗଡ଼: ସୋମବାର ଠାରୁ ଆରମ୍ଭ ହୋଇଛି ଦେବଗଡର ପ୍ରସିଦ୍ଧ ଗଣେଶ ପୂଜା।ଚଳିତ ବର୍ଷ ପୂଜା ୧୪ ତାରିଖ ଠାରୁ ଆରମ୍ଭ ହୋଇ ୨୧ ତାରିଖରେ ବିସର୍ଜନ କାର୍ଯ୍ୟକ୍ରମ ରହିଛି।୧୯୪୯ରୁ ଆରମ୍ଭ ହୋଇଥିବା ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୮ ବର୍ଷରେ ପଂହଚିଛି।ରଙ୍ଗୀନ ଆଲୋକ ମାଳାରେ ସହର ଝଲସିବା ସହ ଗଣେଶ ପୂଜାର ମାହୋଲରେ ଚଳଚଂଚଳ ହୋଇପଡିଛି ସହର।ରବିବାର ସଂଧ୍ୟାରେ କମିଟିର ସଭାପତି ରାଜକିଶୋର ଦାଶଙ୍କ ନେତୃତ୍ବରେ ପ୍ରଧାନପାଟ ଠାରୁ କଳସ ଯାତ୍ରା କରାଯାଇ ନଗର ପରିକ୍ରମା କରିବା ପରେ ସହରର ମଧ୍ୟରେ ପୁଜା ହେଉଥିବା ସ୍ଥାନରେ ପଂହଚି କଳସ ସ୍ଥାପନ କରାଯିବା ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାପରେ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ପୁରୁଣା ଆରଟିଓ ଅଫିସ କାର୍ଯ୍ୟାଳୟ ନିକଟରୁ ଏକ ଭବ୍ୟ ଶୋଭାଯାତ୍ରାରେ ଅଣାଯାଇ ପୂଜା ମଣ୍ଡପକୁ ନିଆଯାଇଥିଲା। ଏଥିରେ କମିଟିର ଉପସଭାପତି ପ୍ରଦୀପ ଅମାତ,ସଂପାଦକ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଉପଦେଷ୍ଟା ଉମାଶଙ୍କର ସାହୁଙ୍କ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।ସୋମବାର ସକାଳେ ସହରର ମଧ୍ୟରେ ପୂଜା ହେଉଥିବା ଗଣେଶ ମଣ୍ଡପରେ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଥିଲା ।ଚଳିତ ବର୍ଷ ଗଣେଶ ମେଳାରେ ପ୍ରାୟ ୬୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା କମିଟିର ସଭାପତି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଏହା ସହିତ ପ୍ରତ୍ୟହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା,ଗୋପାଳଜୀଉ ମନ୍ଦିର ପରିସରରେ ପ୍ରତ୍ୟହ ଫ୍ରି ସୋ ଶ୍ରୀ ବାଦଲ ଅପେରା,୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ଟିକେଟ ସୋ ସୂର୍ଯ୍ୟ ମନ୍ଦିର ଅପେରା,୨୦ ତାରିଖ ଦିନ ଲଡୁ ନିଲାମ ଏବଂ ପ୍ରତ୍ୟହ ସଂକୀର୍ତ୍ତନ,ଭଜନ ସନ୍ଧ୍ୟା,ମେଲୋଡି କାର୍ଯ୍ୟକ୍ରମ ରହିଅଛି ।ଶ୍ରଦ୍ଧାଳୁମାନେ ମୀନା ବଜାର ଓ ଦୋଳିର ମଜା ଉଠାଇପାରିବେ। ବିଶେଷ କରି ବରିଷ୍ଠ ନାଗରିକ ଙ୍କ ପାଇଁ ମୁଖ୍ୟ ତୋରଣ ନିକଟରୁ ସ୍ଵତନ୍ତ୍ର ହ୍ଵିଲଚେୟାରର ସହ ବିଶ୍ରାମସ୍ଥଳୀର ବ୍ୟବସ୍ଥା ଏବଂ ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଯାନବାହନ ପାର୍କିଂ ପାଇଁ ସୁବିଧା କରାଯାଇଅଛି।ଚଳିତ ବର୍ଷ ସିଙ୍ଗିଙ୍ଗ ସୁପରଷ୍ଟାର ସିଜନ ୨ ର ପଞ୍ଜାବର ଶିଶୁ ଗାୟକ ମନି ଗିଲ, କୋଲକାତାର ଲିପିକା ସାମନ୍ତ,ଓଡିଆ ଗାୟକ ସୌରଭ ଭରଦ୍ବାଜ,ମଣ୍ଟୁ ଛୁରିଆ,ଆଶୀଷ କୁମ୍ଭାର,ଉମାକାନ୍ତ ବାରିକଙ୍କ ମେଲୋଡି କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପଟେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ୨୪ ଘଣ୍ଟିଆ ପେଟ୍ରୋଲିଙ୍ଗ ବ୍ୟବସ୍ଥା ସହ ସିସିଟିଭି ସହାୟତାରେ ଜନଗହଳି ସ୍ଥାନ ଉପରେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯିବ।ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଏସପିଙ୍କ ନେତୃତ୍ବରେ ଜଣେ ଅତିରିକ୍ତ ଏସପି,୪ଜଣ ଡ଼ିଏସପି,୬ ଜଣ ଇନ୍ସପେକ୍ଟର ,୬ଜଣ ସବ ଇନ୍ସପେକ୍ଟରଙ୍କ ସମେତ ୪ପ୍ଲାଟୁନ ପୁଲିସ ଫୋର୍ସ ପୁଲିସ ପକ୍ଷରୁ ମୁତୟନ କରାଯାଇଛି।








