
ଭୁବନେଶ୍ୱର, ୮ ।୧୦ : ଚାରିଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଥିଲେଯେ, ଓଡିଶା ବନ୍ଦ ବ୍ୟାପକ ଜନସମର୍ଥନ ଯୋଗୁ ସଫଳ ହୋଇଛି । ଆମେ ବହୁ ପୂର୍ବରୁ ଲୋକଙ୍କୁ ଅବଗତ କରାଇଥିଲୁ । ଜିଲ୍ଲାରୁ ପଞ୍ଚାୟତ ପର୍ଯ୍ୟନ୍ତ ଆମେ ବନ୍ଦ ପାଇଁ ଅପିଲ କରିଥିଲୁ । ତେଣୁ ଏହାର ବିଶେଷ ପ୍ରଭାବ ପଡ଼ିଛି । ଆମେ ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ୍ ପ୍ରତ୍ୟାହାର, ବନ୍ୟା ବିପତ୍ତି ନିୟନ୍ତ୍ରଣରେ ବିଫଳତା, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ନେଇ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲୁ । ଆମର ସମସ୍ତ ଦାବି ଲୋକଙ୍କ ମନକୁ ଛୁଇଁଛି । ବିଭିନ୍ନ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି । କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ଦିଲ୍ଲୀରେ ପୁଲିସର ଅମାନବୀୟ ଆଚରଣ ଯୋଗୁଁ ଆଜିର ଦିନଟିକୁ ରାଜ୍ୟବ୍ୟାପୀ ମଧ୍ୟ ‘କଳାଦିବସ’ ଭାବେ ପାଳନ କରାଯାଇଥିବା ନେଇ ଶ୍ରୀ ଦାସ ସୂଚନା ଦେଇଥିଲେ ।
ବିଜେଡି ମାନସିକ ସମର୍ଥନ କରୁଛି ବୋଲି ସେମାନେ ଘୋଷଣା କରିଛନ୍ତି । ଭବିଷ୍ୟତରେ ସେମାନେ ଯେତେବେଳେ ଆନ୍ଦୋଳନ କରିବେ, ସେତେବେଳେ ଆମେ ଆମର ପକ୍ଷ ରଖିବୁ । କିନ୍ତୁ ତାଙ୍କ ଭଳି ୟୁ-ଟର୍ଣ୍ଣ ନେବୁ ନାହିଁ ବୋଲି ଦୃଢତାର ସହିତ ଶ୍ରୀ ଦାସ ପ୍ରକାଶ କରିବା ସହ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କୁ ଆଜିର ଏହି ଐତିହାସିକ ବନ୍ଦର ସଫଳତା ପାଇଁ ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିସହ ସେ ମଧ୍ୟ ଏହି ବନ୍ଦ ପାଳନର ସଫଳତାର ଶ୍ରେୟ ଗଣମାଧ୍ୟମକୁ ମଧ୍ୟ ଦେଇଥିଲେ ।








