
କଟକ : କଟକରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୪ ୱିକେଟରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ୩ ଟିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଆଗୁଆ ରହିଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୩୦୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭ୍ରମଣକାରୀ ଇଂଲଣ୍ଡ । ଜବାବ ଦେବାକୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲେ ଶୁଭମନ ଗିଲ୍ । ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି ଦେଇଥିଲେ ହିଟମ୍ୟାନ ରୋହିତ ଶର୍ମା । ପ୍ରଥମେ ମାତ୍ର ୩୦ ବଲରେ ୪ଟି ଛକା ଓ ୪ଟି ଚୌକା ବଳରେ ୫୦ ରନ ହାସଲ କରିଥିଲେ । ଏହାପରେ ବୋଲରଙ୍କ ଆକ୍ରମଣର ପ୍ରତିଜବାବ ଦେଇ ମାତ୍ର ୭୬ ବଲରେ ଶତକ ହାସଲ କରିଥିଲେ । ରୋହିତ ୯୦ ବଲ ଖେଳି ୧୧୯ ରନ କରିର ଲିଭିଂଷ୍ଟୋନଙ୍କ ବଲରେ ଆଉଟ ହୋଇଥିଲେ । ତେବେ ୧୧ ହଜାର ରନ କରିବା ପାଇଁ ମାତ୍ର ଦୁଇରନ ପଛରେ ରହିଯାଇଥିଲେ ରୋହିତ । ଶୁଭମନ ଗିଲ ମଧ୍ୟ ୫୨ ବଲ ଖେଳି ଦମଦାର ୬୦ ରନ କରିଥିଲେ । ତେବେ ଦର୍ଶକଙ୍କୁ ନିରାଶ କରିଥିଲେ ବିରାଟ କୋହଲି । ଫାଷ୍ଟ ଡାଉନରେ ଆସି ୮ଟି ବଲରେ ମାତ୍ର ୫ ରନ କରି ରସିଦଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ପରେ ଶ୍ରେୟସ ଆୟାରଙ୍କ ସାଥ ଦେଇଥିଲେ ଅକ୍ଷର ପଟେଲ । ପ୍ରଥମେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଡକେଟ ଓ ରୁଟଙ୍କ ଅର୍ଦ୍ଧଶତକ ବଳରେ ଦଳ ୪୯.୫ ଓଭରରେ ସମସ୍ତ ୱିକେଟ ହରାଇ ୩୦୪ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ୪୪.୩ ଓଭରରେ ୬ ଓ୍ବିକେଟ ହରାଇ ୩୦୮ ରନ ସଂଗ୍ରହ କରିବା ସହ ବିଜୟ ହାସଲ କରିଥିଲା ।




