
ବାଲିଅନ୍ତା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଦିନ ତଳେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଗୁରୁତର ଆହତ ବାଲିଅନ୍ତା ଥାନା ପାଟଣା ଗ୍ରାମର ଜଣେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ ନାଁ ସ୍ମୃତିରଂଜନ ମାର୍ଥା ଓରଫ ରିଙ୍କୁ (୩୦) । ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଦାବିରେ ସ୍ଥାନୀୟ ଲୋକେ ବାଲିଅନ୍ତା ଥାନା ଘେରାଉ କରିଥିଲେ । ପୁଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଖେଜୁଛି ।
ଖବର ନେବାରୁ ଜଣପଡିଛି ଯେ, ବାଲିଅନ୍ତା ଥାନା ଲକ୍ଷ୍ମୀ ଆପାର୍ଟମେଂଟ ସମ୍ମୁଖରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠାରେ ଦୋକାନ କରିଥିବା ଅଶୋକ ଜେନା ଦୋକାନ ଆଗରେ ପାଟିତୁଣ୍ଡ ନ କରିବାକୁ ସେମାନଙ୍କୁ ତାଗିଦ କରିଥିଲେ । ଏହି କଥାକୁ ନେଇ ଅଶୋକ ଏବଂ ସ୍ମୃତିରଂଜନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଯାଇଥିଲା । ଖବର ପାଇ ଅଶୋକଙ୍କ ଦୁଇ ପୁଅ ଅମରେଶ ଓ ଆଶୀଷ ଘଟଣାସ୍ଥଳରେ ପହଂଚି ରିଙ୍କୁଙ୍କୁ ଠେଲାପେଲା କରିବାରୁ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ପଛ ପାଖେ ଗୁରୁତର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କ ମୃତ୍ୟୁ ଘଟିଥିଲା ।







