
ଭୁବନେଶ୍ଵର: ଦିଲ୍ଲୀରେ ବିଜୁ-ନବୀନ ଟ୍ରଷ୍ଟ ନେଇ ଉଠୁଛି ପଡ଼ିଛି ରାଜ୍ୟ ରାଜନୀତି। ଶାସକ-ବିରୋଧୀଙ୍କ ମଧ୍ୟରେ ଚାଲିଛି ଆରୋପ-ପ୍ରତ୍ୟାରୋପ। କାହା ସ୍ଵାର୍ଥରେ ଟ୍ରଷ୍ଟ ବୋଲି ଆକ୍ଷେପ କରୁଛନ୍ତି ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ। ଏହି ଆରୋପ-ପ୍ରତ୍ୟାରୋପ ରାଜନୀତିକୁ ଇନ୍ଧନ ଦେଇଛି ରାଜଧାନୀର ପ୍ରମୁଖ AG ଛକରେ ଲାଗିଥିବା ଏକ ବ୍ୟଙ୍ଗାତ୍ମକ ପୋଷ୍ଟର। ଯାହାକି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀରେ ଟ୍ରଷ୍ଟ କାହା ସ୍ଵାର୍ଥରେ ନବୀନ ପଟ୍ଟନାୟକ ତୁମେ ଜବାବ ଦିଅ ବୋଲି ଲେଖା ହୋଇଛି। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ପୋଷ୍ଟର ମାରିଛି ତାହା ଜଣାପଡିନି । ବ୍ୟଙ୍ଗ ଚିତ୍ରର ଏ ପୋଷ୍ଟର ରାଜନୈତିକ ମହଲରେ ଚର୍ଚ୍ଚା ଆଣିଛି । ଏପଟେ ବିରୋଧୀ ବିଜେଡି ଓ କଂଗ୍ରେସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭାରେ ହଙ୍ଗାମା କରୁଛନ୍ତି । ବିଧାନସଭା ପରିସରରେ କଳା ପୋଷାକ ପିନ୍ଧି ପ୍ରତିବାଦ କରୁଛନ୍ତି ।
ବିଜେଡି ବିଧାୟକ ଧ୍ରୁବ ସାହୁ ପୋଷ୍ଟର ମାରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଚକ୍ରାନ୍ତକାରୀମାନେ ଏହି ପୋଷ୍ଟର ମାରିଛନ୍ତି। ଚକ୍ରାନ୍ତକାରୀଙ୍କ କାମ ହେଉଛି ସବୁବେଳେ ଚକ୍ରାନ୍ତ କରିବା। ବିଜେପିର ସହଯୋଗରେ ଚକ୍ରାନ୍ତକାରୀ ମାନେ ପୋଷ୍ଟର ଲଗାଇଛନ୍ତି। ସେମାନେ ୩ ମାସ ଆଗରୁ ନିଜେ ଚକ୍ରାନ୍ତ କରିଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି। ବିଜୁ, ନବୀନ ପରିବାର ସବୁବେଳେ ତ୍ୟାଗ ପାଇଁ ପରିଚିତ। ଏଭଳି ପୋଷ୍ଟର ମାରିଲେ ବି କିଛି ଫରକ ପଡ଼ିବନି। ନବୀନ ବାବୁଙ୍କ ବିରୋଧରେ ଯେତେ ଚେଷ୍ଟା କଲେ ବି ଚକ୍ରାନ୍ତକାରୀ କଳା ଦାଗ ଲଗାଇପାରିବେ ନାହିଁ । ସବୁ ଉଦ୍ୟମ ପଣ୍ଡ ହେବ ।.




