
୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ
ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି ।
ରାଷ୍ଟ୍ରପତି ଭବନରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶାର ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମ, କର୍ଣ୍ଣାଟକ ରାଜ୍ୟପାଳ ଭାବେ ସୁଧା ଯାଦବ, ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ଧଳ ସିଂ ବିସେନ୍ ଓ ସିକ୍କିମ୍ ରାଜ୍ୟପାଳ ଭାବେ ଦୁଶ୍ୟନ୍ତ ଗୌତମଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମରୁ କେରଳମ୍ ରାଜ୍ୟପାଳ ଭାବେ ବଦଳି କରାଯାଇଥିବାବେଳେ ତାମିଲନାଡୁ ରାଜ୍ୟପାଳ ଭାବେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ନିଯୁକ୍ତି ଦିଆଯାଇଛି । ଆର୍ଲେକର କେରଳମ ରାଜ୍ୟପାଳ ଥିଲେ । ଗତ ମାର୍ଚ୍ଚରୁ ସେ ତାମିଲନାଡୁ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ଆରଏନ ରବି ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ସେ ତାମିଲନାଡୁ ଦାୟିତ୍ୱରେ ରହିଥିଲେ । ଏବେ ସେ ସ୍ଥାୟୀ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିବେ । ପୂର୍ବରୁ ସେ ହିମାଚଳ ପ୍ରଦେଶ ଓ ବିହାରର ବି ରାଜ୍ୟପାଳ ଥିଲେ ।
ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବ୍ରଜମୋହନ ରାମ ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ଝାରଖଣ୍ଡର ପାଲୁମ୍ ଲୋକସଭା ସାଂସଦ ଥିଲେ । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ବି ସଦସ୍ୟ ରହିଥିଲେ । ମହେନ୍ଦ୍ରଗଡ଼ର ପୂର୍ବତନ ସାଂସଦ ସୁଧା ଯାଦବ ଏବେ କର୍ଣ୍ଣାଟକର ରାଜ୍ୟପାଳ ଥିବାବେଳେ ପଛୁଆ ବର୍ଗର ଜାତୀୟ କମିଶନ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ଧଳ ସିଂ ବିସେନ୍ ଏବେ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାବେଳେ ପୂର୍ବରୁ ସେ ମଧ୍ୟପ୍ରଦେଶ ବାଲଘାଟର ସାଂସଦ ରହିଥିଲେ । ସେହିପି ଦୁଶ୍ୟନ୍ତ ଗୌତମ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରହିବା ସହ ରାଜ୍ୟସଭା ସାଂସଦ ଭାବେ ବି କାର୍ଯ୍ୟ କରିଛନ୍ତି ।








