
ଭୁବନେଶ୍ୱର: ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଭୁବନେଶ୍ବରରେ ଜଣକ ପରେ ଜଣେ ଖେଳାଳି ପହଞ୍ଚୁଛନ୍ତି । ବାରବାଟୀ ଟି-୨୦ ମୁକାବିଲା ପାଇଁ ଗତକାଲି ହାର୍ଦ୍ଧିକ ପାଣ୍ଡ୍ୟା ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଆଜି ଷ୍ଟାର ବୋଲର ଯଶପ୍ରୀତ ବୁମରା ପହଞ୍ଚିଛନ୍ତି । ଆଜି ଭାରତୀୟ ଦଳ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଟି-୨୦ ମୁକାବିଲା ପାଇଁ ବୁମରା ଆଗୁଆ ପହଞ୍ଚିଥିବା ଜଣାଯାଇଛି । ଆଜି ବାକି ସମସ୍ତ ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ହୋଟେଲ ମେ’ ଫେୟାରକୁ ଯିବେ ।
ଦକ୍ଷିଣ ଆଫ୍ରିକାର ଖେଳାଳି ଏବଂ ଅଫିସିଆଲ୍ ମଧ୍ୟ ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତାକାଲି ବାରବାଟୀରେ ଦୁଇ ଦଳ ଅଭ୍ୟାସ କରିବେ । ସେପଟେ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଟେଲ ମେ’ ଫେୟାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସ୍ୱତନ୍ତ୍ର ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ୱାଗତ କରାଯିବ । ଖେଳାଳି ଓ ଅଫିସିଆଲଙ୍କ ପାଇଁ ୧୨୦ଟି ରୁମ ବୁକ ହୋଇଛି । ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ଚାର୍ଟ ରହିବ । ବ୍ରେକଫାଷ୍ଟରେ ପିଠା, ମିଠା ରଖିବାକୁ ଯୋଜନା ରହିଛି । ସେହିପରି ଲଞ୍ଚ ଓ ଡିନରରେ ଖେଳାଳିଙ୍କ ନିର୍ଦ୍ଦିଷ୍ଟ ମେନ୍ୟୁ ସହିତ ସି’ ଫୁଡ଼ ଓ ମିଲେଟ ଖାଦ୍ୟ ଉପରେ ଫୋକସ କରାଯିବ ।




