
ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି। NH-326 ଉପରେ ପାଣି। ଜାତୀୟ ରାଜପଥ ୩୨୬ର କାଙ୍କରକୋଣ୍ଡା ନିକଟ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାକୁ ଯାତାୟାତ ପ୍ରାୟ ବିଛିନ୍ନ ହୋଇପଡ଼ିଛି।
ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ବଢ଼ିଲେ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି। ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟାରେ ୮୦୪ ମି.ମି. ବର୍ଷା ରେକର୍ଡ ହୋଇଛି। ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମି.ମି. ବର୍ଷା ହୋଇଥିବାବେଳେ ଖଇରପୁଟରେ ୧୪୨, ମାଲକାନଗିରିରେ ୧୩୬ ମି.ମି. ବର୍ଷା ହୋଇଥିବା ସୂଚନା ମିଳିଛି।
ଲଘୁଚାପ ପ୍ରଭାବରେ ଉମରକୋଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ବେହାଲ ହୋଇପଡ଼ିଛି ସହର। ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ଯାତାୟାତ ବି ହୋଇଛି ପ୍ରଭାବିତ। ଅନେକ ରାସ୍ତା ଜଳମଗ୍ନ ହୋଇପଡ଼ିଛି। ଡ୍ରେନ୍ ରୁ ପାଣି ନିଷ୍କାସିତ ହୋଇନପାରିବାରୁ ରାସ୍ତାରେ ଜମି ରହୁଛି ପାଣି। ଏପରିକି ବସଷ୍ଟାଣ୍ଡ ଅଞ୍ଚଳର ଅନେକ ଦୋକାନ ଭିତରକୁ ବର୍ଷା ପାଣି ପଶୁଥିବା ଦେଖିବାକୁ ମିଳିଛି।








