
ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ, ଏହା ସାମୟିକ ଭାବେ ସ୍ଥଗିତ ରହିଛି। ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କେଉଁଠି କହିନାହାନ୍ତି। ଏଭଳି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
ପ୍ରକାଶ ଯେ ରାଜ୍ୟରେ ପୁଣି ଜୋର୍ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଏହି ଚିଠି ଲେଖିଛନ୍ତି। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ପୁନଃବିଚାର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା। କିଛି ପ୍ରକଳ୍ପ ଲାଭ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ହିତ ପାଇଁ କରାଯାଏ ବୋଲି ଅପରାଜିତା ତାଙ୍କ ଚିଠିରେ ଲେଖିଛନ୍ତି।
ଅପରାଜିତା ଲେଖିଛନ୍ତି ଯେ, ଏହି ପ୍ରକଳ୍ପ କେବଳ ଭୁବନେଶ୍ୱର ନୁହେଁ, ବରଂ କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାର କ୍ଷମତା ରଖୁଥିଲା। ଏହା ହଠାତ୍ ବନ୍ଦ ହୋଇଯିବା ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରକଳ୍ପ ବାବଦରେ ରାଜ୍ୟ କୋଷାଗାରରୁ ପ୍ରାୟ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଯଦି ଏବେ ଏହାକୁ ବନ୍ଦ କରାଯାଏ ଏବଂ ଭବିଷ୍ୟତରେ ପୁଣି ଆରମ୍ଭ କରାଯାଏ, ତେବେ ଏହାର ନିର୍ମାଣ ଖର୍ଚ୍ଚ ୨ ରୁ ୪ ଗୁଣ ବୃଦ୍ଧି ପାଇବ। ଲିଙ୍ଗରାଜ ମନ୍ଦିର, ଧଉଳି ଏବଂ ନନ୍ଦନକାନନ ଭଳି ପ୍ରମୁଖ ପର୍ୟ୍ୟଟନ ସ୍ଥଳୀକୁ ସହଜ ଯୋଗାଯୋଗ ପାଇଁ ମେଟ୍ରୋ ଏକ ଆଧୁନିକ ମାଧ୍ୟମ ହୋଇଥାନ୍ତା। ଲାଭ-କ୍ଷତିକୁ ନଦେଖି ବୃହତ୍ତର ଜନସ୍ୱାର୍ଥ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପକୁ ପୁନର୍ଜୀବିତ କରିବାକୁ ସେ ଦାବି କରିଛନ୍ତି। ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବା ଦିଗରେ ମେଟ୍ରୋ ରେଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ସୂଚନାଥାଉକି, ପୂର୍ବରୁ ଏନେଇ ଏମ୍ପି ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଭୁବନେଶ୍ୱର ସହରକୁ ମେଟ୍ରୋ ପ୍ରକଳ୍ପ ଦରକାର ବୋଲି କହିଥିଲେ।



