
ଭୁବନେଶ୍ୱର; ପାର୍ବଣକୁ ପାଣିଚିଆ କରିପାରେ ବର୍ଷା । ଏ ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି ୟୁରୋପୀୟ ମଡେଲ୍ ଇସିଏମଡବ୍ୟୁଏଫର ତାଜା ପୂର୍ବାନୁମାନ । ଏହି ମଡେଲ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ହୋଇପାରେ । ଗଭୀର ଅବପାତରୁ ସାମାନ୍ୟ ଅଧିକ ଘନୀଭୂତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ରହିପାରେ । ଇସିଏମଡବ୍ଲ୍ୟଏଫ୍ ଆକଳନ ଅନୁସାରେ ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪ରେ ଅବପାତ ରୂପ ନେଇପାରେ । ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ୧୬ ତାରିଖବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ । ସେପ୍ଟେମ୍ବର ଶେଷ ସପ୍ତାହରେ ଆସିଥିବା ଗଭୀର ଅବପାତ ଭଳି ଏହା ସ୍ଥଳଭାଗ ଛୁଇଁବା ପରେ ବେଶି ଭିତରକୁ ପ୍ରବେଶ କରିନପାରେ । ଉପକୂଳରେ ହିଁ ଅଧିକ ପ୍ରଭାବ ରହିପାରେ ।
ବିଶେଷଜ୍ଞଙ୍କ ମତରେ ଯଦି ଏହି ଗତିପଥ ଓ ଆକଳନ ସତ ହୁଏ, ତେବେ ଓଡ଼ିଶାରେ ୧୪ରୁ ବର୍ଷା ହୋଇପାରେ । ୧୮ ଯାଏଁ ବର୍ଷା ପ୍ରକୋପ ରହିପାରେ । ଯଦି ଗଭୀର ଅବପାତ କିମ୍ବା ତା’ଠାରୁ ଅଧିକ ଘନୀଭୂତ ହୁଏ, ବର୍ଷା ପ୍ରକୋପ ଅଧିକ ରହିବ । କିନ୍ତୁ, ଏବେଠାରୁ ସ୍ପଷ୍ଟ ଭାବେ କିଛି କହି ହେବନି । କାରଣ ଏଯାଏଁ ଘୂଣ୍ଣି ର୍ବଳୟ ସୃଷ୍ଟି ହୋଇନାହିଁ । ମେଘ ଖଣ୍ଡ ଗଠନ ହୋଇନାହିଁ । ତେଣୁ ୮/୧୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ । ଯଦି ଏହା ୧୬ କିମ୍ବା ପୂର୍ବରୁ ସ୍ଥଳଭାଗ ଛୁଇଁବ, ତେବେ ଦୁର୍ଗାପୂଜାର ନବମୀ, ଦଶମୀକୁ ପାଗ ଫିଟିପାରେ । କିନ୍ତୁ, ବିଳମ୍ବ ହେଲେ ଦଶହରାକୁ ଭିଜାଇପାରେ । ଅକ୍ଟୋବର ମାସରେ ଆଣ୍ଡାମାନ ସାଗର ପଟୁ ଏହି ଲଘୁଚାପ ଆସିବା ସମ୍ଭାବନା ଥିବାରୁ ଅନେକ ଆଶଙ୍କା ରହୁଛି । ଏପଟେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି । ମଙ୍ଗଳବାର ୧୫ ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି । ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ ୩୬.୭ ଡିଗ୍ରୀ ଥିଲା । ଏଠାରେ ତାତି ସ୍ୱାଭାବିକଠାରୁ ୪.୧ ଡିଗ୍ରୀ ଅଧିକ ରହିଥିଲା । ଢେଙ୍କାନାଳରେ ୩୬.୩ ଡିଗ୍ରୀ ଓ ପୁରୀ, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ରେକର୍ଡ ହୋଇଛି । ସ୍ୱାଭାବିକ ଗରମରେ ଲୋକେ ନାକେଦମ ହୋଇଛନ୍ତି ।
ଅନ୍ୟ ସହର ମଧ୍ୟରେ ଅନୁଗୁଳରେ ତାପମାତ୍ରା ୩୫.୭ ଡିଗ୍ରୀ, ଟିଟିଲାଗଡ଼ରେ ୩୫.୫, ସୋନପୁରରେ ୩୫.୩, ଛତ୍ରପୁରରେ ୩୫.୨, ତାଳଚେରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି । ପୁରୀରେ ସ୍ୱାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ସ୍ୱାଭାବିକଠାରୁ ୨.୬, ଟିଟିଲାଗଡ଼ରେ ୧.୪ଡିଗ୍ରୀ ଅଧିକ ରହିଥିଲା । ଆଜି ଓ ଗୁରୁବାର ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଗୁରୁବାର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନୁମାନ କରାଯାଉଛି, ଏବେ ଖରା ପ୍ରକୋପ ସାମାନ୍ୟ କମିପାରେ ।








