
ଭୁବନେଶ୍ୱର:୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟ ଅର୍ଥ ସଚିବ ସଞ୍ଜିବ କୁମାର ମିଶ୍ରଙ୍କୁ ପ୍ରମୁଖ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ୧୯୯୮ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିବା ପରେ ଏହି ପଦବୀ ଖାଲି ପଡ଼ିଥିଲା।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୭ ବ୍ୟାଚ୍ ଆଇଏଏସ୍ ଶ୍ରୀ ମିଶ୍ର ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶ୍ରୀ ମିଶ୍ର ଏବେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ୟ୍ୟ କରୁଛନ୍ତି।୧୯୯୮ ବ୍ୟାଚ୍ ଆଇଏଏସ୍ ବିଶାଳ ଗଗନଙ୍କୁ ମାର୍ଚ୍ଚ ୩୧ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅଧୀନରେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ଶ୍ରୀ ଗଗନଙ୍କ ନୂଆ ନିଯୁକ୍ତି ପରେ ପ୍ରମୁଖ ଆବାସିକ କମିଶନର ପଦବୀ ଖାଲି ପଡ଼ିଥିଲା।୧୯୯୫ ବ୍ୟାଚ୍ ଆଇପିଏସ୍ ରୀତୁ ଅରୋରା ଏବେ ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଆବାସିକ କମିଶନର ଭାବେ ମଧ୍ୟ କାର୍ୟ୍ୟ କରୁଛନ୍ତି।
ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶା କ୍ୟାଡ଼ରର ୧୯୯୪ ବ୍ୟାଚ୍ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ସଚିବ ଭାବେ ଆଜି ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ଚୋପ୍ରା ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ତଥା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଭାବେ କାର୍ୟ୍ୟ କରୁଛନ୍ତି ।ଆଦିବାସୀ ମନ୍ତ୍ରଣାଳୟର ସଚିବ ଅନୀଲ ମଲ୍ଲିକ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଶ୍ରୀମତୀ ଚୋପ୍ରା ଆଦିବାସୀ ମନ୍ତ୍ରଣାଳୟର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।


