
ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ କେନ୍ଦ୍ରଠାରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସହ ମିଆଁମାର ଓ ଓଡ଼ିଶା ଉପକୂଳ ପର୍ଯ୍ୟନ୍ତ ଏକ ନିମ୍ନଚାପରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼ା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କେତେକ ସ୍ଥାନେର ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲାଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। କିଛିଦିନ ତଳେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲାରୁ ମୌସୁମି ବାହୁଡି ଥିବାବେଳେ ପରବର୍ତ୍ତୀ ସମୟରେ ମୌସୁମି ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବା ପ୍ରକ୍ରିୟା ଅଟକିଥିଲା। ୧୦ ଜିଲାରୁ ମୌସୁମି ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରୁ ମୌସୁମି ସମ୍ପୂର୍ଣ୍ଣ ବିଦାୟ ନେଇଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାର ଅଧିକାଂଶ ଅଞ୍ଚଳରୁ ମୌସୁମି ବିଦାୟ ନେଇଛି। ଆଗାମୀ ୨ରୁ ୩ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।







